ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ କବିତା ପୁସ୍ତକ ‘ଅନିର୍ବାଚିତ ସ୍ୱପ୍ନ’ ଉନ୍ମୋଚିତ

Published: May 25, 2022, 11:23 pm IST

ଭୁବନେଶ୍ୱର: ମୁମ୍ବାଇରେ ଆଭସୀ ବ୍ୟବସ୍ଥାରେ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ ନୂତନ କବିତା ପୁସ୍ତକ ‘ଅନିର୍ବାଚିତ ସ୍ୱପ୍ନ’ ଉନ୍ମୋଚନ କରିଛନ୍ତି ଭାରତୀୟ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ପଦ୍ମଶ୍ରୀ ଡକ୍ଟର ସାଧୁ ମେହେର। ସେ କହିଛନ୍ତି, ସାମାଜିକ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ିଛି । ପ୍ରକୃତ ମଣିଷର ଅନ୍ତଃକରଣକୁ ସଜାଡ଼ିବାକୁ ହେଲେ ବୋଧଗମ୍ୟ ଓ ପ୍ରଭାବଶାଳୀ କବିତାର ଆବଶ୍ୟକ ପଡୁଛି।

କବି ରବିପ୍ରିୟ ଦାଶଙ୍କ କବିତା ଭିତରେ ସ୍ୱପ୍ନ, ପ୍ରେମ, ମନନଶୀଳତା ଓ ଦର୍ଶନର ତତ୍ତ୍ୱବୋଧ ପରିପୂର୍ଣ୍ଣ। ଏହାର ମୂଲ୍ୟବୋଧ ପ୍ରତ୍ୟେକ ଜନଜୀବନକୁ ନିଶ୍ଚୟ ପ୍ରଭାବିତ କରିବ। ଡକ୍ଟର ମେହେର କହିଛନ୍ତି, ରବିପ୍ରିୟଙ୍କୁ ଜଣେ ସୁଦକ୍ଷ ସାମ୍ବାଦିକ ଭାବେ ଦୀର୍ଘବର୍ଷ ଧରି ମୁଁ ଜାଣିଛି । ତାଙ୍କର କେତେକ ସୁଶୋଭିତ କବିତା ବହି ପଢ଼ି ମୁଁ ଆନନ୍ଦିତ। ‘ଅନିର୍ବାଚିତ ସ୍ୱପ୍ନ’ ଭିନ୍ନ ଢ଼ଙ୍ଗର ଏକ ନିଆରା କବିତା ବହି ।

କବି ଏଥିରେ ମଣିଷର ଅସହାୟତା ଓ ଦୀର୍ଘଶ୍ୱାସ ଗୁଡ଼ିକୁ ରୂପ ଦେଇଛନ୍ତି। ୨୭ଟି କବିତାରେ ସେ ଚମତ୍କାର ଭାବେ ବାସ୍ତବତାର ବିନ୍ୟାସରେ ମଣିଷର ସମକାଳ ସମସ୍ୟାକୁ ଦେଖିଛନ୍ତି। କବିତାର ଲାଳିତ୍ୟ ଓ ବୌଦ୍ଧିକତାରେ ମୁଁ ବିମୋହିତ। ଓଡ଼ିଆ ସାହିତ୍ୟକୁ ଏହି ପୁସ୍ତକର ସରଳ ଓ ଭାବୋଦ୍ଧୀପକ ଭାଷା ନିଶ୍ଚୟ ସମୃଦ୍ଧ କରିବ ବୋଲି ଡକ୍ଟର ମେହେର ଆଶା ପ୍ରକାଶ କରିଛନ୍ତି।

Related posts