କଳାହାଣ୍ଡିର ଧାନ ମଣ୍ଡିରେ ପଡିଛି ଧାନ, ମାଜିଷ୍ଟ୍ରେଟ ଯାଞ୍ଚ ପରେ ଟାର୍ଗେଟ?

Published: Feb 7, 2023, 11:30 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ୬୦ ଲକ୍ଷ୍ୟ କ୍ଵିଣ୍ଟାଲ ଖରିଫ ଧାନ ଅମଳ ହୋଇଥିବା ବେଳେ ସରକାର ୫୫ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଟାର୍ଗେଟ ଦେଇଥିବା ଜଣାପଡିଛି। ଅଦ୍ୟାବଧି ୫୩ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ବେଳେ ବର୍ତ୍ତମାନ ବିଭିନ୍ନ ମଣ୍ଡିମାନଙ୍କରେ ଧାନ ପଡି ରହିଥିବାର ଦେଖାଯାଉଛି। ଚାଷୀମାନେ ଶୀତ କାକରରେ କଷ୍ଟ ଉପାର୍ଜିତ ଧାନକୁ ଜଗୁଥିବା ବେଳେ କେବେ ଧାନ ଉଠାଣ ହେବ ତାହା ଜଣା ପଡୁ ନାହିଁ। ଅନେକଙ୍କ ଟୋକନ ଅବଧି ସରି ଆସୁଥିବା ବେଳେ ଅନେକ ମଣ୍ଡିରେ ଟ୍ୟାଗ ହୋଇଥିବା କଷ୍ଟମ ମିଲର୍ସଙ୍କର ଟାର୍ଗେଟ ସରି ଯାଇଥିବା କୁହାଯାଉଛି।

ମଣ୍ଡିଗୁଡିକୁ ମାଜିଷ୍ଟ୍ରେଟ ଯାଞ୍ଚ ପରେ ଟାର୍ଗେଟ ଦିଆଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଚାଷୀମାନଙ୍କର ସମସ୍ତ ତଥ୍ୟ ସାଙ୍ଗକୁ କେତେ ପରିମାଣ ଜମିରେ ଚାଷ ହୋଇଛି ଏବଂ କେତେ ପରିମାଣ ଧାନ ଅମଳ ହେବ ସେସବୁର ସମସ୍ତ ତଥ୍ୟ ସାଙ୍ଗକୁ ଚାଷୀ ରେଜିଷ୍ଟ୍ରେସନ ତଥ୍ୟ ସବୁ ରହିଛି। ଟୋକାନ ଠାରୁ ଆରମ୍ଭ କରି ଧାନ କିଣା ପ୍ରକ୍ରିୟା ଯୋଗାଣ ବିଭାଗ ଦ୍ବାରା ପରିଚାଳିତ ହେଉଛି। ତଥାପି ଏବେ ସରକାର ମାଜିଷ୍ଟ୍ରେଟ ନିୟୋଜିତ କରି ମଣ୍ଡି ଯାଞ୍ଚ କାହିଁକି କରୁଛନ୍ତି ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଧାନ ମଣ୍ଡି ଆରମ୍ଭ ପୂର୍ବରୁ ଅସାଧୁ ମିଲର୍ସ ଚାଷୀଙ୍କ ଧାନକୁ କମ ମୂଲ୍ୟରେ କିଣି ଗୋଦାମ ଭର୍ତ୍ତି କରୁଥିବା ବେଳେ ସେସବୁକୁ ଯାଞ୍ଚ ନ କରି ଏବେ ଚାଷୀଙ୍କ ଧାନକୁ କେଉଁ ଉଦ୍ଦେଶ୍ୟରେ ଯାଞ୍ଚ କରାଯାଉଛି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ ସରକାର ଧାନ କିଣିବାକୁ ସକ୍ଷମ ହେଉନଥିବା ଯୋଜନା କରି ଏଭଳି ଚକ୍ରାନ୍ତ କରୁଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଚାଷୀ ରେଜିଷ୍ଟ୍ରେସନ ଠାରୁ ଟୋକାନ ଇସ୍ୟୁ ପର୍ଯ୍ୟନ୍ତ ସମସ୍ତ ବିଷଯ ସରକାରୀ ସରରେ ହେଉଥିବା ବେଳେ ଫେବ୍ରୁୟାରୀ ଶେଷ ପର୍ୟ୍ଯନ୍ତକୁ ମଧ୍ୟ ଟୋକାନ ଇସ୍ୟୁ ହୋଇଥିବା ବେଳେ ଚାଷୀ ତଦନୁସାରେ ମଣ୍ଡିରେ ଧାନ ପକାଇ ଥିବା ବେଳେ ଯୋଗାଣ ବିଭାଗ ଏଭଳି ନାଟକୀୟ ଶୈଳୀ ରେ ମଣ୍ଡି ସବୁ ବନ୍ଦ କରିଦେବାକୁ ଯୋଜନା କରୁଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଅନ୍ୟ ପକ୍ଷରେ ଅଧିକ ଧାନକୁ ଚାଷୀ କିପରି ବିକ୍ରି କରିବ ତାହା ମୁଖ୍ୟ ସମସ୍ୟା ହୋଇଯାଇଛି। ଏ ନେଇ ତୁରନ୍ତ ମଣ୍ଡିରୁ ଧାନ ଉଠାଣ କରିବାକୁ ଚାଷୀ ମାନେ ରାଜ ରାସ୍ତାକୁ ଆସିଥିବା ବେଳେ ଯୋଗାଣ ବିଭାଗ ନୀରବ ଦ୍ରଷ୍ଟା ଏବଂ ଚାଷୀ ମାନଙ୍କ ପକ୍ଷରୁ ଯୋଗାଣ ବିଭାଗ ପାଖରେ ଦାବି କରିବାରେ ମାଜିଷ୍ଟ୍ରେଟ ଯାଞ୍ଚ ପରେ ହିଁ ଟାର୍ଗେଟ ଆସିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସୂତ୍ର ରୁ ପ୍ରକାଶ।

Related posts