କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଲେ ସ୍ଵାମୀ ରାମଦେବ, ବ୍ରିଜ ଭୂଷଣଙ୍କ ବିରୋଧରେ କହିଲେ ଏଭଳି କଥା

Published: May 27, 2023, 11:21 am IST

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ର ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହୋଇ ଏବେ ନିଜ ଘରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଯୋଗ ଗୁରୁ ବାବା ରାମଦେବ ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତ୍ରରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ବିରୋଧକୁ ସମର୍ଥନ କରିଛନ୍ତି।

ବାବା ରାମଦେବ କହିଛନ୍ତି ଯେ, ରେସଲିଂ ଆସୋସିଏସନର ସଭାପତିଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ରହିଛି। ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍। ସେ କହିଛନ୍ତି ଯେ, ଦେଶର କୁସ୍ତିଯୋଦ୍ଧାମାନେ ଜନ୍ତର ମନ୍ତ୍ରରରେ ବସି କୁସ୍ତି ସଙ୍ଗଠନର ସଭାପତିଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ କରିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏପରି ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରି ଜେଲକୁ ପଠାଇବା ଉଚିତ୍।

ବାବା ରାମଦେବ କେବଳ ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଦାବି କରିନାହାଁନ୍ତି, ବରଂ ତାଙ୍କ ବିବୃତ୍ତି ପାଇଁ ବିଜେପି ସାଂସଦଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରତିଦିନ ସେ ପାଟି ଖୋଲନ୍ତି ଏବଂ ମା-ଭଉଣୀ- ଝିଅମାନଙ୍କ ପାଇଁ ବାରମ୍ବାର ଖରାପ କଥା କୁହନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ଏବଂ ପାପ।

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗକୁ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ କ୍ରମାଗତ ଭାବେ ଅସ୍ୱୀକାର କରୁଛନ୍ତି। ଏହି ସମୟରେ ସେ କୁସ୍ତି ଆନ୍ଦୋଳନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବ୍ରିଜ ଭୂଷଣ କହିଛନ୍ତି ଯେ, ଏହି ଆନ୍ଦୋଳନ ଦିଲ୍ଲୀରୁ ପଞ୍ଜାବ, ଖାଲିସ୍ତାନ ଏବଂ କାନାଡା ଆଡକୁ ଗତି କରୁଛି। ଏହି ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ସ୍ଲୋଗାନ ଦିଆଯାଉଛି।

ସେ କହିଛନ୍ତି ଯେ, ବଜରଙ୍ଗ ପୁନିଆ ମୁଣ୍ଡ କାଟିବା କଥା କହୁଛନ୍ତି, ସେ ନିଜ ଭାଷା ନୁହେଁ ଅନ୍ୟର ଭାଷା କହୁଛନ୍ତି। କୁସ୍ତି ଖେଳାଳିଙ୍କ ପ୍ରଦର୍ଶନକୁ ସମର୍ଥନ କରୁଥିବା ଖାପ ପଞ୍ଚାୟତ ତଥା ରାଜନୈତିକ ଦଳଗୁଡିକକୁ ଟାର୍ଗେଟ କରି ସେ ପ୍ରଶ୍ନ କରିଛନ୍ତି ଯେ, ଏହି ଲୋକମାନେ ମୁଣ୍ଡ କାଟିବା ଭାଷାକୁ ସମର୍ଥନ କରୁଛନ୍ତି କି? ପ୍ରକାଶ ଯେ, ଜୁନ୍ ୫ ତାରିଖରେ ବିଜେପି ସାଂସଦ ଅଯୋଧ୍ୟାରେ ସାଧୁମାନଙ୍କୁ ଏକତ୍ର କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ସେ କହିଛନ୍ତି ଯେ, ଜୁନ୍ ୫ ତାରିଖରେ ସମଗ୍ର ଦେଶର ସନ୍ଥ ସମାଜ ଅଯୋଧ୍ୟାରେ ଏକାଠି ହେଉଛନ୍ତି ଯେଉଁଥିରେ ପ୍ରାୟ ୧୧ ଲକ୍ଷ ଲୋକ ଅଂଶଗ୍ରହଣ କରିବେ। ସମସ୍ତ ଧର୍ମର ଲୋକମାନେ ଏହି ରାଲିରେ ଏକାଠି ହେବେ, ଯେଉଁମାନେ ସମଗ୍ର ଦେଶକୁ ବାର୍ତ୍ତା ଦେବେ। ତେବେ ବାବା ରାମଦେବଙ୍କ ଏହି ବିବୃତ୍ତି ସନ୍ଥ ସମାଜ ଠାରୁ ସମର୍ଥନ ଆଶା କରୁଥିବା ବ୍ରିଜ ଭୂଷଣଙ୍କ ଶକ୍ତି ପ୍ରଦର୍ଶନକୁ ନଷ୍ଟ କରିପାରେ।

Related posts