ଶ୍ରୀଲଙ୍କା ବିପକ୍ଷରେ ଇତିହାସ ରଚିଲେ ଏଡନ ମାର୍କରମ, ବିଶ୍ୱକପ୍‌ରେ ହାସଲ କଲେ ଦ୍ରୁତତମ ଶତକ

Published: Oct 7, 2023, 7:37 pm IST

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକ ସ୍କୋର କରି ଦକ୍ଷିଣ ଆଫ୍ରିକାର ଏଡନ ମାର୍କରମ ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୯ ବଲରେ ନିଜର ଶତକ ପୂରଣ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ଆୟର୍ଲାଣ୍ଡର କେଭିନ ଓ’ବ୍ରାଇନ୍ ଙ୍କ ପାଖରେ ଥିଲା, ଯିଏ ୫୦ ବଲରେ ଶତକ ହାସଲ କରିଥିଲେ। ୨୦୧୧ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ୫୦ ବଲରେ ଆୟର୍ଲାଣ୍ଡର କେଭିନ ଶତକ ହାସଲ କରିଥିଲେ। ଯେତେବେଳେ କି ମାର୍କରମ ଶ୍ରୀଲଙ୍କା ବିପକ୍ଷ ODI ବିଶ୍ୱକପ୍‌ର ଦ୍ରୁତତମ ଶତକ ସ୍କୋର କରିବାରେ ସଫଳ ହୋଇଥିଲେ।

୧୯୬.୩୦ ଷ୍ଟ୍ରାଇକ୍ ହାରରେ ୫୪ ବଲରେ ୧୦୬ ରନ୍ ସ୍କୋର କରିବା ପରେ ମାର୍କରମ ପାଭିଲିୟନକୁ ଫେରିଥିଲେ। ତାଙ୍କ ଇନିଂସରେ ୧୪ ଟି ଚୌକା ଓ ୩ ଟି ଛକା ଅନ୍ତର୍ଭୁକ୍ତ ଥିଲା। ସେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ମାର୍କରମ ଇନିଂସ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ତାଙ୍କ ସମ୍ମୁଖରେ ଶ୍ରୀଲଙ୍କା ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ।

ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ ମଧ୍ୟ ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଅନ୍ତର୍ଭୁକ୍ତ। ୨୦୧୫ ବିଶ୍ୱକପରେ ଡି ଭିଲିୟର୍ସ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫୨ ବଲରେ ଶତକ ପୂରଣ କରିଥିଲେ। ଡି ଭିଲିୟର୍ସ ପୂର୍ବରୁ ଏହି ତାଲିକାରେ ତିନି ନମ୍ବରରେ ଥିଲେ, କିନ୍ତୁ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି।

ODI ବିଶ୍ୱକପ୍ ରେ ଦ୍ରୁତତମ ଶତକ ହାସଲ କରିଥିବା ଟପ୍- ୫ ବ୍ୟାଟ୍ସମ୍ୟାନ୍:

୧- ୪୯ ବଲ- ଏଡନ ମାର୍କରମ (ଦକ୍ଷିଣ ଆଫ୍ରିକା) ବନାମ ଶ୍ରୀଲଙ୍କା- ୨୦୨୩ ବିଶ୍ୱକପ

୨- ୫୦ ବଲ- କେଭିନ ଓ’ବ୍ରାଇନ୍ (ଆୟର୍ଲାଣ୍ଡ) ବନାମ ଇଂଲଣ୍ଡ- ବିଶ୍ୱକପ୍ ୨୦୧୧

୩- ୫୧ ବଲ- ଗ୍ଲେନ୍ ମ୍ୟାକ୍ସୱେଲ (ଅଷ୍ଟ୍ରେଲିଆ) ବନାମ ଶ୍ରୀଲଙ୍କା- ବିଶ୍ୱକପ ୨୦୧୫

୪- ୫୨ ବଲ୍- ଏବି ଡି ଭିଲିୟର୍ସ (ଦକ୍ଷିଣ ଆଫ୍ରିକା) ବନାମ ୱେଷ୍ଟଇଣ୍ଡିଜ୍- ବିଶ୍ୱକପ୍ ୨୦୧୫

୫- ୫୭ ବଲ୍- ଇଏନ୍ ମୋର୍ଗାନ୍ (ଇଂଲଣ୍ଡ) ବନାମ ଆଫଗାନିସ୍ତାନ- ବିଶ୍ୱକପ୍ ୨୦୧୯

Related posts