ଦ୍ୱିତୀୟ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

Published: Nov 16, 2023, 9:12 pm IST

ଭୁବନେଶ୍ୱର: ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଯାଇଛି। ଆଜି ମାଲକାନଗିରି, କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ । ମାଥିଲି ଠାରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚି ସାଧାରଣ ହିତାଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। କେତେକ ହିତାଧିକାରୀଙ୍କୁ ଯୋଜନାର ଲାଭ ନେବାକୁ ପଞ୍ଜୀକରଣ କରାଯିବା ସହିତ ସେମାନଙ୍କୁ ସହାୟତା ବିତରଣ କରାଯାଇଥିଲା ।
ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏହି ରଥ ବ୍ଲକ୍ର ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରିବ । ହିତାଧିକାରୀଙ୍କୁ ବାହନ ନିକଟରେ ପଞ୍ଜୀକରଣ କରାଯିବା ସହିତ ଆବଶ୍ୟକ ସ୍ଥଳେ ସହାୟତା ମଧ୍ୟ ବିତରଣ କରାଯିବ ।

ଅନ୍ୟପଟେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ତୃଣମୂଳସ୍ତରର ହିତାଧିକାରୀମାନଙ୍କୁ ସଚେତନ କରାଯାଇଛି । ସଚେତନତା ରଥ ବିଭିନ୍ନ ଗ୍ରାମପଞ୍ଚାୟତରେ ପହଞ୍ଚି ଏଲଇଡି ସ୍କ୍ରିନ୍ ମାଧ୍ୟମରେ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରି ହିତାଧିକାରୀଙ୍କୁ ସଚେତନ କରିଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସହାୟତା ବିତରଣ କରାଯିବା ସହିତ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଯାଇଛି । ଜିଲ୍ଲାର ଦେଓଗାଁ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ହିତାଧିକାରୀଙ୍କୁ ପ୍ରଚାର ପୁସ୍ତିକା ବିତରଣ କରାଯାଇଛି ସଚେତନତା କରାଯାଇଥିଲା।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଆରମ୍ଭ କରିଥିଲେ । ଏହି ଯାତ୍ରା ଆସନ୍ତା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

Related posts