ଟାଙ୍ଗୀ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

Published: Dec 4, 2023, 11:02 am IST

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବରିକୋ ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ଜୀବନ ଚାଲିଯାଇଛି।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷିତ ରଖିବା ପାଇଁ ଦୁଇ ଚାଷୀ ବିଲକୁ ଯାଇଥିଲେ। ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା (୭୦) ଓ ପାରିଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ (୬୫) ସାଙ୍ଗ ହୋଇ ଚାଷ ଜମିକୁ ଯାଇଥିଲେ। ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ। ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା।

କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ। ଆଜି ସକାଳୁ ସେମାନଙ୍କ ମୃତଦେହ ଚାଷ ଜମିରେ ଲୋକେ ଠାବ କରିଛନ୍ତି।

ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି। ପୋଲିସ ସହ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Related posts