ବିଜେଡ଼ିରେ ଯୋଗ ଦେଲେ ଶେମିଳିଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରୋବେଲ କଡମ

Published: Apr 19, 2024, 8:15 am IST

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଶେମିଳିଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ରୋବେଲ କଡମଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ରୋବେଲ କଡମଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ପାଙ୍ଗୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ପାଙ୍ଗୀ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ରୋବେଲ କଡମ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି ।

ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପ୍ରତାପ କୁମାର ଚୌଧୁରୀ, ରଂଜିତ କୁମାର ପାଙ୍ଗୀ, ସୀତାକାନ୍ତ ନାୟକ, ଗୋପାଳ ଚନ୍ଦ୍ର ସାହୁ, ହରି ଗନ୍ଦାରୀ, ପୂର୍ଣ୍ଣ ଗୁନ୍ଥା, ପରମେଶ ପାଙ୍ଗୀ, ରଂଜନ ଖାରା, ଉଧବ ମୁଦୁଲି, ରଂଜୁ ଜାନି, ପୁରବ କୁଲଦୀପ, ସୁକୁମାର ବିଶ୍ୱାଳ, ନରସିଂହ ପଣ୍ଡା, ଟୁଲା ଲୁଲୁରା, ମାମିନା ଖୀନବୁଡି, ମୋହନ ରାୟ ଖୁନବୁଡି, ଦାମୋଦର କିଶାନୀ, ଲାଇଚନ ପାଙ୍ଗୀ, ରବିନ୍ଦ୍ର ପାଙ୍ଗୀ ଓ ଲବ ହନ୍ତାଲଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।

Related posts