ବିଜେଡ଼ିରେ ମିଶିଲେ ଶତାଧିକ ବିଜେପି କର୍ମୀ

Published: May 18, 2024, 7:51 am IST

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପିର ଓବିସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଦୃଢ଼ ସଂଗଠକ ବିଜୟ କୁମାର ଗୁରୁଙ୍କ ସମେତ କୁଜଙ୍ଗ ପଂଚାୟତ ଜଗନ୍ନାଥପୁର ଗ୍ରାମର ଶତାଧିକ ବିଜେପି କର୍ମୀ ବିରାଟ ପଟୁଆରରେ ଆସି ଦଳିୟ କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ଦଳରେ ଯୋଗଦେଇଛନ୍ତି। କୁଜଙ୍ଗ ବ୍ଲକ୍ ବିଜୁ ଜନତାଦଳ ପ୍ରଚାର କମିଟି ଅଧ୍ୟକ୍ଷ ରଘୁନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ପାରାଦ୍ୱୀପ ବିଧାୟକ ଅତିଥିଭାବେ ଯୋଗଦେଇଥିଲେ।

ଏହି ଅବସରରେ ବିଧିବଦ୍ଧଭାବେ ବିଜେପି ଛାଡ଼ି ଜିଲ୍ଲା ଓବିସି ମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ଗୁରୁ, ବିଜେପି ସମର୍ଥିତ ସରପଂଚ ପ୍ରାର୍ଥିନୀ ମଧୁସ୍ମିତା ଗୁରୁ, ୱାର୍ଡ଼ ସଭ୍ୟା ସବିତା ମଲ୍ଲିକ୍‌, ଅଜୟ କୁମାର ଗୁରୁଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଉକ୍ତ ମିଶ୍ରଣ ଉତ୍ସବରେ ପାରାଦ୍ୱୀପ ବିଧାୟକ ଶ୍ରୀ ରାଉତରାୟଙ୍କ ସମେତ କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବ୍ଲକ୍ ବିଜେଡ଼ି ସଭାପତି ନରେନ୍ଦ୍ର ପରିଡ଼ା, ଜିଲ୍ଲା ସାଧାରଣ ସଂପାଦକ ମନିନ୍ଦ୍ର ଗୁରୁ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରିଶେଷରେ କୁଜଙ୍ଗ ପଂଚାୟତ କାର୍ଯ୍ୟକାରୀ ସଭାପତି ତଥା ବ୍ଲକ୍ ବିଜେଡ଼ି ସାଧାରଣ ସଂପାଦକ ବିଚିତ୍ରାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts