ବାଲୁଗାଁ: ଛାତ୍ରଛାତ୍ରୀମାନେ ସମ୍ପ୍ରତି ଚାପମୁକ୍ତ ହୋଇ ଅଧ୍ୟୟନ କରିବା ସହ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ଉଚିତ ବୋଲି ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ଏଥିସହ ମନ୍ତ୍ରୀ କହିଛନ୍ତି ଯେ, ମହାବିଦ୍ୟାଳୟର ଗୁଣାତ୍ମକ ବିକାଶରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଡି ହେବା ଆବଶ୍ୟକ।
ଆଜି ଉକ୍ତ ପ୍ରତିଷ୍ଠା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲୁଗାଁ ଵିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସା ରାଣୀ ବେହେରା ଓ ପୂର୍ବତନ ଅଧ୍ୟକ୍ଷା ଡ଼କ୍ଟର କସ୍ତୁରୀ ସାହୁ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ। ଆଜି ମନ୍ତ୍ରୀଙ୍କ ଦ୍ୱାରା ୪୫ ତମ ପ୍ରତିଷ୍ଠା ଦିବସ ଉଦଘାଟିତ ହେବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।
ଅଧ୍ୟାପକ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରାକ୍ତନ ଅଧ୍ୟକ୍ଷା ଡ଼କ୍ଟର କସ୍ତୁରୀ ସାହୁଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏଥି ସହ ମହାବିଦ୍ୟସଳୟରେ ନିରବଛିନ୍ନ ଭାବେ ପଚିଶି ବର୍ଷ ପୂରଣ କରିଥିବା ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ, ବିଦ୍ୟାଧର ଜୁଝାରସିଂହ, ପ୍ରବୀଣ କୁମାର ଜେନା ଓ ମୃଡାନୀ ଶଙ୍କର ପ୍ରସାଦ ମିଶ୍ର ଙ୍କୁ ମନ୍ତ୍ରୀ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।
ଏହାପରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମେଧାବୀ ଛାତ୍ର ଛାତ୍ରୀଙ୍କ ସମେତ ଏନସିସି କ୍ୟାଡେଟ୍, ଏନଏସଏସ ଓ ଯୁବ ରେଡକ୍ରସର ଶ୍ରେଷ୍ଠ ସ୍ଵେଚ୍ଛାସେବୀ ମାନଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଧନ୍ୟବାଦ ପ୍ରଦାନ କରିଥିଲେ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ।