ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ହିରିୟୁର ତାଲୁକର ଗୋର୍ଲଟ୍ଟୁ ଅଞ୍ଚଳରେ ଏକ ଘରୋଇ ସ୍ଲିପର ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଭୀଷଣ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା, ଯାତ୍ରୀମାନେ ବାହାରକୁ ଆସିବା ପାଇଁ ସୁଯୋଗ ପାଇନଥିଲେ।
ମଧ୍ୟରାତ୍ରିରେ ଦୁର୍ଘଟଣା
ପୁଲିସ ମୁତାବକ, ପ୍ରାୟ ୧୨ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘରୋଇ ସ୍ଲିପର ବସ୍ ବେଙ୍ଗାଲୁରୁରୁ ଗୋକାର୍ଣ୍ଣା ଅଭିମୁଖେ ଯାତ୍ରା କରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରକର କିଛି ଅଂଶ ମଧ୍ୟ ଜଳି ଯାଇଛି ଏବଂ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବସରେ ଡ୍ରାଇଭର ଏବଂ କଣ୍ଡକ୍ଟର ସମେତ ମୋଟ ୩୨ ଜଣ ଯାତ୍ରୀ ଏଥିରେ ଥିଲେ।
ଘଟଣା ପରେ ନିଆଁ ଦ୍ରୁତ ଗତିରେ ବ୍ୟାପିବା ଯୋଗୁଁ ଅନେକ ଯାତ୍ରୀ ବସ୍ ଭିତରେ ଫସି ରହି ଯାଇଥିଲେ, ଯାହା ଫଳରେ ସେମାନଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଡିଏସପି ଶିବକୁମାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ସ୍ଥାନୀୟ ଲୋକଙ୍କ ଏବଂ ଅଗ୍ନିଶମ ବିଭାଗର ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଟ୍ୱିଟ୍ କରିଛି ଯେ, କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଦୁର୍ଘଟଣାରେ ପ୍ରାଣହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (PMNRF)ରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।


