ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିସିପଙ୍କ ନେତୃତ୍ଵରେ ତିନିଜଣିଆ ଟିମ ଗଠିତ ହୋଇଛି । ଏଥିରେ ଜଣେ ଇନ୍ସପେକ୍ଟର ଓ ଜଣେ ଏସଆଇ ରହିବେ । ତଦନ୍ତକୁ ମନିଟରିଂ କରିବେ ଡିସିପି ।
ଆଜି ଲୋକସେବା ଭବନରେ ଭିଡ଼ ହତ୍ୟାକୁ ନେଇ ଆୟୋଜିତ ଉଚ୍ଚସ୍ତରୀୟ ବୈଠକ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ଡି.ଜି.ପିଙ୍କୁ କଡ଼ା ତାଗିଦ୍ କରିଛନ୍ତି । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


