ବରଗଡ଼: ବରଗଡ଼ କଚେରୀ ନିକଟରେ ଏକ ଚାଞ୍ଚଲ୍ୟକର ଘଟଣାରେ ବରଗଡ଼ ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କୁ ତିନିଜଣ ମଦ୍ୟପ ଆକ୍ରମଣ କରିଛନ୍ତି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ ଗୁରୁତର ଆହତ ହୋଇ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁସାରେ, ତିନିଜଣ ମଦ୍ୟପ ଏକ ବାଇକ୍ରେ ଆସୁଥିବା ବେଳେ କଚେରୀ ନିକଟରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ସେମାନଙ୍କୁ ସହାୟତା କରିବାକୁ ଯାଇଥିବା ଭୀଷ୍ମଦେବ ସରାଫଙ୍କ ସହ ସେମାନେ ପ୍ରଥମେ ଗାଳିଗୁଲଜ କରିଥିଲେ। ପରେ ଏକ ମଦ ବୋତଲରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।
ଆହତ ଅବସ୍ଥାରେ ପ୍ରଥମେ ତାଙ୍କୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଉନ୍ନତ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏହି ଘଟଣାକୁ ନେଇ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।


