ଭିଡିଓ ଜାରି କରି ସଭାପତି ଦୀନବନ୍ଧୁ ନାୟକଙ୍କ କ୍ଷମା ପ୍ରାର୍ଥନା, କହିଲେ- ‘ଆମେ ଗୁଣ୍ଡା ନୁହଁ, ପେଟ ପାଇଁ ୧୨ ଘଣ୍ଟା ଖଟୁଛୁ’
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ୍ କ୍ୟାବ୍ ଓ ଅଟୋ ଚାଳକଙ୍କ ହିଂସାକାଣ୍ଡ ଘଟଣାକୁ ନେଇ ପୁଲିସ ଓ ପରିବହନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଏବେ କ୍ଷମା ମାଗିଛି ସ୍ମାର୍ଟ ସିଟି ଅନଲାଇନ ଅଟୋ ଡ୍ରାଇଭର ସଂଘ। ସଂଘର ସଭାପତି ଦୀନବନ୍ଧୁ ନାୟକ ଏକ ଭିଡିଓ ଜାରି କରି ଘଟଣା ପାଇଁ ସାଧାରଣ ଲୋକଙ୍କୁ କ୍ଷମା ମାଗିଛନ୍ତି।
ନିଜ ଭୁଲକୁ ସ୍ୱୀକାର କରିବା ସହ ମାଷ୍ଟରକ୍ୟାଣ୍ଟିନ ଘଟଣା ଯୋଗୁଁ ଲୋକଙ୍କୁ ହୋଇଥିବା ଅସୁବିଧା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ପଛରେ ରାଜନୈତିକ ହସ୍ତକ୍ଷେପ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।
ଦୀନବନ୍ଧୁ କହିଛନ୍ତି, ସେମାନେ ସମସ୍ତେ ଗରିବ ଖଟିଖିଆ ଅଟୋ ଓ ଟ୍ୟାକ୍ସି ଚାଳକ। ସେମାନେ କୌଣସି ଗୁଣ୍ଡା ନୁହନ୍ତି ଏବଂ ପରିବାର ପୋଷଣ ପାଇଁ ପ୍ରତିଦିନ ପ୍ରାୟ ୧୨ ଘଣ୍ଟା ଖଟୁଛନ୍ତି। ଏଥିସହ ସେ ଜଣେ ରାଜନୈତିକ ବ୍ୟକ୍ତି ନୁହନ୍ତି ଏବଂ ବିଜେପିର ଜଣେ ସଦସ୍ୟ ବୋଲି ମଧ୍ୟ ଦାବି କରିଛନ୍ତି।
ଅନ୍ୟପଟେ, ଘଟଣାରେ ଜବତ ହୋଇଥିବା ଗାଡ଼ିଗୁଡ଼ିକୁ ଫେରାଇବା ସହ ଗିରଫ ହୋଇଥିବା ଚାଳକମାନଙ୍କୁ ଜାମିନରେ ଆଣିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ମାଷ୍ଟରକ୍ୟାଣ୍ଟିନରେ ଭଙ୍ଗାରୁଜା ଓ ପୁଲିସ ଉପରେ ଆକ୍ରମଣ ଘଟଣା ପରଠାରୁ ଦୀନବନ୍ଧୁ ନାୟକ ଫେରାର ଥିବା ଜଣାପଡ଼ିଛି।


