ଭୁବନେଶ୍ୱର: ବ୍ରହ୍ମପୁରର ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଗିରଫ ହୋଇ ଜେଲ୍ରେ ଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ କୁମାର ପଣ୍ଡାଙ୍କୁ ମିଳିଛି ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଦୀର୍ଘ ଦିନର ଶୁଣାଣି ପ୍ରକ୍ରିୟା ଶେଷ ହୋଇ ପ୍ରାୟ ୫ ମାସ ଧରି ରାୟ ସଂରକ୍ଷିତ ରହିବା ପରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ପ୍ରକାଶ ପାଇଛି। ଜାମିନ ମଞ୍ଜୁର କରିବା ଅବସରରେ ଅଦାଲତ ସ୍ପଷ୍ଟ ସର୍ତ୍ତ ରଖିଛନ୍ତି ଯେ, ଅଭିଯୁକ୍ତ ସାକ୍ଷୀମାନଙ୍କୁ କୌଣସି ପ୍ରକାର ଧମକ କିମ୍ବା ପ୍ରଭାବିତ କରିବାକୁ ଚେଷ୍ଟା କରିପାରିବେ ନାହିଁ।
ସୂଚନା ଥାଉ କି ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡ ୨୦୨୫ ଅକ୍ଟୋବର ୬ ତାରିଖ (କୁମାରପୂର୍ଣ୍ଣିମା) ରାତି ପ୍ରାୟ ୯ଟା ୪୦ ସମୟରେ ଘଟିଥିଲା। ଆଇନଜୀବୀ ପୀତବାସ ପଣ୍ଡା ନିଜ ଅଫିସ ବା ଚାମ୍ବରରୁ ସ୍କୁଟରରେ ବୈକୁଣ୍ଠନଗରସ୍ଥିତ ନିଜ ବାସଭବନକୁ ଫେରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ବାଇକରେ ଆସି ଅତି ନିକଟରୁ ତାଙ୍କ ଉପରକୁ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ପ୍ରବଳ ଆଲୋଡ଼ନ ଓ ହଇଚଇ ସୃଷ୍ଟି କରିଥିଲା। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୁଲିସ ତଦନ୍ତ ବ୍ୟାପକ କରିଥିଲା। ପୁଲିସ ସୂଚନା ଅନୁଯାୟୀ, ପୁରୁଣା ବ୍ୟବସାୟିକ ଶତ୍ରୁତା, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏବଂ ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡର ଗୂଢ଼ ଷଡ଼ଯନ୍ତ୍ର ରଚାଯାଇଥିଲା।
ଏହି ମାମଲାରେ ପୁଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ, ବିଜେଡି କର୍ପୋରେଟର ଏବଂ ସୁପାରି କିଲରଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ୨୦୨୫ ଅକ୍ଟୋବର ୨୨ ତାରିଖରେ ବିକ୍ରମ ପଣ୍ଡା ଗିରଫ ହୋଇଥିଲେ। ଦୀର୍ଘ ମାସ ଧରି ବିଚାର ବିଭାଗୀୟ ହାଜତରେ ରହିବା ଏବଂ ମଝିରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଶେଷରେ ତାଙ୍କୁ ଜାମିନ ମିଳିଛି। ବିକ୍ରମ ପଣ୍ଡାଙ୍କ ଆଇନଜୀବୀ ରଞ୍ଜନ ନାୟକଙ୍କ କହିବା ଅନୁଯାୟୀ, ତାଙ୍କ ମୋକିଲଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏହି ମାମଲାରେ ଫସାଯାଇଥିଲା। ଦୀର୍ଘଦିନର ବିଚାର ପ୍ରକ୍ରିୟା ଏବଂ ଆଇନଗତ ତର୍କବିତର୍କ ପରେ ହାଇକୋର୍ଟଙ୍କ ଏହି ଆଦେଶ ବିକ୍ରମ ପଣ୍ଡାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।


