କଟକ: ଓଡ଼ିଶାର ସାମୁଦ୍ରିକ ଜୈବ ବିବିଧତା ଗବେଷଣା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଦେବୀ ନଦୀ ମୁହାଣରୁ ୭ ମିଲିମିଟରରୁ କମ୍ ଆକାରର ଏକ ନୂତନ ପ୍ରଜାତିର ଦ୍ୱିଖୋଳକ ଜୀବ ଆବିଷ୍କୃତ ହୋଇଛି। ଏହି କ୍ଷୁଦ୍ର ଜୀବର ସନ୍ଧାନ ଓଡ଼ିଶା ଉପକୂଳର ଅପ୍ରକାଶିତ ସାମୁଦ୍ରିକ ଜୀବଜଗତ ସମ୍ପର୍କରେ ନୂତନ ସମ୍ଭାବନା ସୃଷ୍ଟି କରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ନେଦରଲ୍ୟାଣ୍ଡସ୍ ସ୍ଥିତ ‘ନାଚୁରାଲିସ୍ ଜୈବ ବିବିଧତା କେନ୍ଦ୍ର’ର ମିଳିତ ଗବେଷକ ଟିମ୍ ଏହି ସୂକ୍ଷ୍ମ ଜୀବକୁ ଚିହ୍ନଟ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷଣାତ୍ମକ ଅବଦାନକୁ ସମ୍ମାନ ଜଣାଇ ଏହାର ନାମ ‘ଡେଲ୍ଟାକିଅନ୍ ରେଭେନ୍ସା’ ରଖାଯାଇଛି।
ସୂଚନାନୁଯାୟୀ, ଗତ ଫେବ୍ରୁଆରୀ ମାସରେ ଦେବୀ ନଦୀ ମୁହାଣ ନିକଟସ୍ଥ ଅସ୍ତରଙ୍ଗ ଉପକୂଳରେ ସାମୁଦ୍ରିକ ଜୀବ ସର୍ଭେକ୍ଷଣ ବେଳେ ଗବେଷକମାନେ ଏହି ଜୀବର ୩ଟି ନମୁନା ସଂଗ୍ରହ କରିଥିଲେ। ବାଲୁକାମୟ ସ୍ଥାନରୁ ମିଳିଥିବା ଏହି ନମୁନାଗୁଡ଼ିକୁ ସୂକ୍ଷ୍ମାତିସୂକ୍ଷ୍ମ ଭାବେ ପରୀକ୍ଷା କରାଯାଇଥିଲା। ଏହାର ଖୋଳର ଆକାର, ଗଠନ ଓ ପୃଷ୍ଠିୟ ଚିହ୍ନକୁ ଅନ୍ୟ ନିକଟତର ପ୍ରଜାତିଗୁଡ଼ିକ ସହ ତୁଳନା କରିବା ପରେ ଏହା ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ନୂଆ ପ୍ରଜାତି ବୋଲି ନିଶ୍ଚିତ ହୋଇଥିଲା।
ଅଧ୍ୟୟନ ଅନୁସାରେ, ଭାରତରେ ବର୍ତ୍ତମାନ ସୁଦ୍ଧା ‘ଡୋନାସିଡେ’ ପରିବାରର ୧୨ଟି ପ୍ରଜାତି ରେକର୍ଡ ହୋଇଥିବା ବେଳେ ସେଥିମଧ୍ୟରୁ ୭ଟି କେବଳ ଓଡ଼ିଶା ଉପକୂଳରୁ ଚିହ୍ନଟ ହୋଇଛି। ଏହି ନୂତନ ପ୍ରଜାତିର ଖୋଳଟି ଲମ୍ବା, ତ୍ରିକୋଣାକାର ଓ ଏହାର ପୃଷ୍ଠରେ ଜାଲି ଭଳି ଏକ ସ୍ୱତନ୍ତ୍ର ଗଠନ ରହିଛି, ଯାହା ଏହାକୁ ଅନ୍ୟମାନଙ୍କଠାରୁ ଅଲଗା ପରିଚୟ ଦେଇଥାଏ।
ଦେବୀ ମୁହାଣର ଯେଉଁ ସ୍ଥାନରୁ ଏହା ମିଳିଛି, ସେଠାରେ ନଦୀ ଓ ସମୁଦ୍ରର ମିଶ୍ରିତ ଜଳ ରହିବା ସହ ଋତୁ ଅନୁସାରେ ଲବଣତା ବଦଳିଥାଏ। ଏଭଳି ପରିବର୍ତ୍ତନଶୀଳ ପରିବେଶରେ ଏହି ଜୀବ କିପରି ନିଜକୁ ଖାପ ଖୁଆଇ ଜୀବିତ ରହିଛି, ତାହା ଆଗାମୀ ଦିନରେ ଗବେଷଣାର ପ୍ରମୁଖ ବିଷୟ ହେବ। ଓଡ଼ିଶାର ବିସ୍ତୃତ ଉପକୂଳ ଓ ନଦୀ ମୁହାଣଗୁଡ଼ିକରେ ଅଧିକ ସର୍ଭେ କରାଗଲେ ଏପରି ଅନେକ ଅଜଣା ଜୀବ ସାମ୍ନାକୁ ଆସିପାରିବେ ବୋଲି ଗବେଷକମାନେ ମତପ୍ରକାଶ କରିଛନ୍ତି।


