ଯାଜପୁର: ଗେଙ୍ଗୁଟି ନଦୀରେ ଘଟିଛି ଅଘଟଣ। ରାତି ଅଧରେ ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଦମ୍ପତ୍ତି। ପ୍ରଖର ସ୍ରୋତରେ ସ୍ୱାମୀ-ସ୍ତ୍ରୀ ଭାସିଯାଇଥିବା ବେଳେ ଉଦ୍ଧାର ହୋଇଛନ୍ତି ସ୍ତ୍ରୀ। ଏବେ ବି ନିଖୋଜ ଅଛନ୍ତି ସ୍ୱାମୀ। ଘଟଣାକୁ ନେଇ ଚାରିଆଡ଼େ ଚିନ୍ତା ଓ ଆତଙ୍କ ଖେଳିଯାଇଛି।
ସୂଚନା ଅନୁସାରେ, ଗତ ରାତି ପ୍ରାୟ ୩ଟା ସମୟରେ ଦମ୍ପତ୍ତି ବଡ଼ ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ପ୍ରବଳ ସ୍ରୋତ ଥିବାବେଳେ କୌଣସି କାରଣରୁ ଉଭୟେ ନଦୀ ଜଳରେ ଭାସିଯାଇଥିଲେ।
ଗେଙ୍ଗୁଟି ନଦୀରେ ଭାସିଯିବା ପରେ ଦମ୍ପତ୍ତିଙ୍କ ସନ୍ଧାନ ଆରମ୍ଭ ହୋଇଥିଲା। ଏହି ସମୟରେ କେନ୍ଦ୍ରାପଡ଼ା ନୀଳପଡ଼ା ନିକଟ ବିରୂପା ନଦୀରୁ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ଇନ୍ଦିପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ତାଙ୍କ ସ୍ୱାମୀଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ନଦୀର ପ୍ରଖର ସ୍ରୋତରେ ସେ ଆହୁରି ଦୂରକୁ ଭାସିଯାଇଥିବା ଆଶଙ୍କା କରାଯାଉଛି।
ଘଟଣା ପରେ ନିଖୋଜ ସ୍ୱାମୀଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି। ଗେଙ୍ଗୁଟି ଓ ବିରୂପା ନଦୀରେ ସନ୍ଧାନ କାର୍ଯ୍ୟ ଚାଲିଥିବା ବେଳେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।
ରାତି ଅଧରେ ନଦୀକୁ ଗାଧୋଇବାକୁ ଯାଇ ଏଭଳି ଅଘଟଣ ଘଟିବା ଘଟଣାକୁ ଆହୁରି ଚର୍ଚ୍ଚିତ କରିଛି। ନିଖୋଜ ସ୍ୱାମୀଙ୍କୁ ଶୀଘ୍ର ଉଦ୍ଧାର କରାଯିବ ବୋଲି ପରିବାର ଲୋକ ଆଶା ରଖିଛନ୍ତି।


