କର୍ଣ୍ଣାଟକ: କର୍ଣ୍ଣାଟକର ବେଲାଗାଭିରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଅଘଟଣ ଘଟିଯାଇଛି। ମଧ୍ୟରାତ୍ରିରେ ଘରେ ଥିବା ଫ୍ରିଜ୍ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଗୋଟିଏ ପରିବାରର ୪ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବେଲାଗାଭି ସେଣ୍ଟ୍ରାଲ ବସଷ୍ଟାଣ୍ଡ ନିକଟସ୍ଥ ଚାଭାଟ ଗଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଭାରତୀ ଦାମୋନେ (୫୦), ଶାରଦା ଦାମୋନେ (୪୫), ଗଙ୍ଗା ଦାମୋନେ (୨୫) ଓ ପ୍ରିୟା ଦାମୋନେ (୨୪)। ସେହିପରି ପରିବାରର ମୁଖିଆ ଗଜାନନ ଦାମୋନେ (୬୫) ଓ ପୁଅ ରୋଶନ ଦାମୋନେ (୨୧) ଗୁରୁତର ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଗଣେଶ ଚତୁର୍ଥୀ ପାଳନ ପାଇଁ ଦାମୋନେ ପରିବାର ଲୋକେ ଘରକୁ ଗଣେଶଙ୍କ ମୂର୍ତ୍ତି ଆଣି ସଜାସଜି କରିଥିଲେ। ରାତିରେ ଖାଇସାରି ସମସ୍ତ ୬ ଜଣ ସଦସ୍ୟ ଫ୍ରିଜ୍ ନିକଟରେ ଶୋଇପଡ଼ିଥିଲେ। ହେଲେ ଭୋର ପ୍ରାୟ ୨ଟା ୧୫ ମିନିଟ୍ରେ ହଠାତ୍ ଏକ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ହୋଇଥିଲା। ବିସ୍ଫୋରଣର ପ୍ରକୋପ ଏତେ ତୀବ୍ର ଥିଲା ଯେ ମୁହୂର୍ତ୍ତକ ମଧ୍ୟରେ ସମ୍ପୂର୍ଣ୍ଣ ଘରେ ନିଆଁ ବ୍ୟାପି ଯାଇଥିଲା।
ବିସ୍ଫୋରଣ ଶବ୍ଦ ଶୁଣି ପଡ଼ୋଶୀମାନେ ନିଦରୁ ଉଠି ବାହାରକୁ ଆସିଥିଲେ। ଘର ଭିତରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ନିଆଁ ଭିତରୁ ଗଜାନନ ଓ ରୋଶନଙ୍କୁ ବାହାର କରିବାକୁ ସକ୍ଷମ ହୋଇଥିଲେ। ଉଭୟଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁର ଜ୍ୱାଳା ଅଧିକ ଥିବାରୁ ଅନ୍ୟ ୪ ଜଣ ମହିଳା ଘର ଭିତରୁ ବାହାରି ପାରିନଥିଲେ ଓ ଘଟଣାସ୍ଥଳରେ ହିଁ ସେମାନଙ୍କର ପ୍ରାଣହାନି ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁଁ ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି।
ଅପରପକ୍ଷରେ, ଫ୍ରିଜ୍ଟି କାହିଁକି ଓ କିପରି ବିସ୍ଫୋରଣ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗଣେଶ ମୂର୍ତ୍ତି ଚାରିପଟେ ଲଗାଯାଇଥିବା ସାଜସଜ୍ଜା ବିଦ୍ୟୁତ୍ ଲାଇଟ୍ରୁ ସର୍ଟସର୍କିଟ୍ ହୋଇ ପ୍ରଥମେ ନିଆଁ ଲାଗିଥିଲା ନା ଫ୍ରିଜ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟିଥିଲା, ସେ ନେଇ ବେଲାଗାଭି ପୋଲିସ ତଦନ୍ତ ଚଳାଇଛି।


