ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ଲିକ୍ ହୋଇଥିବା ନେଇ ସମ୍ଭାବନାକୁ ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ ସ୍ୱୀକାର କରିଛନ୍ତି। ଏହି ଘଟଣାର ତଦନ୍ତ କୁଳପତିଙ୍କ ନେତୃତ୍ୱରେ କରାଯିବା ସହ ଶୀଘ୍ର ସାଇବର ଥାନାରେ ଏତଲା ଦାଖଲ କରାଯିବ। ଗତ ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା +୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାରେ ରାଜ୍ୟର ପ୍ରାୟ ୩୦୦ କଲେଜର ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ତେବେ ପରୀକ୍ଷା ପୂର୍ବରୁ ବିଭିନ୍ନ ହ୍ୱାଟ୍ସଆପ୍ ଗ୍ରୁପ୍ରେ ପ୍ରଶ୍ନପତ୍ର ଭାଇରାଲ୍ ହେଉଥିବା ନେଇ ଅଭିଯୋଗ ଉଠିଥିଲା। ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, ପ୍ରଶ୍ନପତ୍ର କେଉଁଠାରୁ ଓ କିପରି ଲିକ୍ ହେଲା ତାହାର ଅନୁଧ୍ୟାନ ପାଇଁ ସାଇବର ପୋଲିସର ସହାୟତା ନିଆଯିବ ଏବଂ ଡିଜିଟାଲ୍ ଟ୍ରେଲ୍ ଯାଞ୍ଚ କରାଯିବ। ତଦନ୍ତରେ ଯଦି ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ପଷ୍ଟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବିଷୟଗୁଡ଼ିକର ପୁନଃ ପରୀକ୍ଷା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି।


