ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାସ୍ଥିତ ସମୃଦ୍ଧି ଏକ୍ସପ୍ରେସୱେରେ ଭୋର ସମୟରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଧରି ଫେରୁଥିବା ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ଏକ ଦ୍ରୁତଗାମୀ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ବେଳେ ୧୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶ୍ରଦ୍ଧାଳୁମାନେ ବୁଲଡାଣା ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶେଗାଁରୁ ଦୁର୍ଗା ମୂର୍ତ୍ତି ଧରି ୱାର୍ଦ୍ଧା ଅଭିମୁଖେ ଫେରୁଥିଲେ। ସମୃଦ୍ଧି ଏକ୍ସପ୍ରେସୱେର ଧାମନଗାଁ ରେଳବାଇ ଷ୍ଟେସନ୍ ନିକଟସ୍ଥ ଚ୍ୟାନେଲ-୯୭ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସଂଘର୍ଷ ଏତେ ଭୟଙ୍କର ଥିଲା ଯେ ପିକ୍ଅପ୍ ଭ୍ୟାନ୍ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି।
ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ପୁଲିସ, ରେଳବାଇ ପୁଲିସ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ୧୯ ଜଣଙ୍କୁ ପ୍ରଥମେ ଧାମନଗାଁ ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ୱାର୍ଦ୍ଧା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରୁ ୪ ରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି, ଯେତେବେଳେ କି ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ପୁଲିସ ଏହି ଘଟଣାର ବିସ୍ତୃତ ତଦନ୍ତ ଜାରି ରଖିଛି।


