ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି। ନିର୍ବାଚନରେ ଅନିୟମିତତା ଏବଂ ‘ଭୋଟ ଚୋରି’ ଅଭିଯୋଗ ଉଠାଇ ବିରୋଧୀ ଦଳଗୁଡ଼ିକ ନିଜର ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଶୁକ୍ରବାର ‘ଇଣ୍ଡିଆ’ ମେଣ୍ଟର ସାଂସଦମାନେ ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ଧାରଣା ଦେଇଥିଲେ। ପରେ ବିରୋଧୀ ଦଳର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏହି ପ୍ରସଙ୍ଗରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହି ପ୍ରତିନିଧିମଣ୍ଡଳୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସମେତ ଅନେକ ବିରୋଧୀ ନେତା ସାମିଲ ହୋଇଥିଲେ। ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ନେଇ ନିଜର ଉଦ୍ବେଗ ଜଣାଇବା ସହ ସେମାନେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ‘ଭୋଟ ଚୋରି’ ସମ୍ପର୍କରେ ବିରୋଧୀଙ୍କ ଅଭିଯୋଗ ଶୁଣିବା ପରେ ରାଷ୍ଟ୍ରପତି ପ୍ରମାଣ ଉପସ୍ଥାପନ କରିବାକୁ କହିଛନ୍ତି। ଏହାର ଜବାବରେ ବିରୋଧୀ ପକ୍ଷରୁ ଖୁବ୍ଶୀଘ୍ର ଆବଶ୍ୟକ ପ୍ରମାଣ ଦିଆଯିବ ବୋଲି କୁହାଯାଇଛି। ଅନ୍ୟପଟେ, ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚନରେ ପୁଣିଥରେ ବାଲଟ ପେପର ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛନ୍ତି।
ମମତା ବାନାର୍ଜୀ ଏହି ଅବସରରେ ବିରୋଧୀ ମେଣ୍ଟ ଏକଜୁଟ ଥିବା ଦାବି କରିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ଲଢ଼ିବେ ବୋଲି ତାଙ୍କ ବକ୍ତବ୍ୟରୁ ସଙ୍କେତ ମିଳିଛି। ଏହାପୂର୍ବରୁ ସଂସଦର କେନ୍ଦ୍ରୀୟ କକ୍ଷରେ ବୈଠକ କରି ବିରୋଧୀ ନେତାମାନେ ଆନ୍ଦୋଳନର ପରବର୍ତ୍ତୀ ରଣନୀତି ନେଇ ଆଲୋଚନା କରିଥିଲେ।
ଏହି ଅଭିଯାନ ମଧ୍ୟରେ ରାହୁଲ ଗାନ୍ଧୀ ଗୁଜରାଟ, ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ବାଲଟ ପେପର ବ୍ୟବସ୍ଥାର ପୁନଃ ପ୍ରଚଳନ ଏବଂ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ବିରୋଧୀଙ୍କ ଦାବି ଆଗାମୀ ଦିନରେ ଜାତୀୟ ରାଜନୀତିକୁ ଆହୁରି ସରଗରମ କରିପାରେ।


