ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ବ୍ଲକ୍ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜଗନ୍ନାଥପ୍ରସାଦ ଠାରେ ଏକ ବ୍ୟକ୍ତିଗତ ମାର୍ଗଦର୍ଶନ ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସଭାରେ ଶୈକ୍ଷିକ ପରାମର୍ଶଦାତା ଡଃ. ପ୍ରଶାନ୍ତ କୁମାର ଦାଶ ଯୋଗଦେଇ ଆଧୁନିକ ଜୀବନଶୈଳୀ ଓ ମୋବାଇଲ୍ର ଅତ୍ୟଧିକ ବ୍ୟବହାର ଯୋଗୁଁ ଶିଶୁମାନେ ପାରମ୍ପରିକ ଖେଳକୁଦ ଓ ଶାରୀରିକ କାର୍ଯ୍ୟକଳାପଠାରୁ ଦୂରେଇ ଯାଉଛନ୍ତି।
ବିଶେଷକରି ମୋବାଇଲ୍ ଗେମ୍ ପ୍ରତି ଆସକ୍ତି ଅଭିଭାବକମାନଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ଶିଶୁମାନଙ୍କର ଅଧ୍ୟୟନରେ ଅନାଗ୍ରହ, ଏକାଗ୍ରତାର ଅଭାବ, ସ୍ମରଣଶକ୍ତିର ଦୁର୍ବଳତା ଓ ଆବେଗିକ ଅସ୍ଥିରତା ଭଳି ସମସ୍ୟା ମଧ୍ୟ ଦେଖାଦେଉଛି। ଏହାର ଅନ୍ୟତମ କାରଣ ହେଉଛି ଅଭିଭାବକମାନଙ୍କୁ ଉପଯୁକ୍ତ ସମୟରେ ଶିଶୁ ପାଳନ, ଶିକ୍ଷା ଓ ମାନସିକ ବିକାଶ ସମ୍ପର୍କରେ ଆବଶ୍ୟକୀୟ ମାର୍ଗଦର୍ଶନ ଓ ପରାମର୍ଶ ମିଳିବାର ଅଭାବ। ତେଣୁ ଶିଶୁମାନଙ୍କର ଶାରୀରିକ, ମାନସିକ, ଆବେଗିକ ଓ ସାମାଜିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଅଭିଭାବକମାନଙ୍କ ନିମନ୍ତେ ନିୟମିତ ମାର୍ଗଦର୍ଶନ ଓ ପରାମର୍ଶ ଶିବିରର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଉପସ୍ଥିତ ଅଭିଭାବକମାନେ ନିଜ ନିଜ ଶିଶୁଙ୍କର ବିଭିନ୍ନ ଶୈକ୍ଷିକ ସମସ୍ୟା ବିଷୟରେ ଡଃ. ଦାଶଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ। ସେ ଅଭିଭାବକମାନଙ୍କ ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିବା ସହ ଶିଶୁମାନଙ୍କର ବୟସ, ଆଗ୍ରହ ଓ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ନୋବେଲ ଧଳ, ଉମାକାନ୍ତ ପ୍ରଧାନ, ରାଜେଶ ନାଏକ ଓ ତେଜସ୍ମିତା ସାହୁ ସହଯୋଗ କରିଥିଲେ। ଶେଷରେ ପ୍ରଗତି ଅନୁଷ୍ଠାନର ସଦସ୍ୟ ସୁଶାନ୍ତ କୁମାର ସାହୁ ଉପସ୍ଥିତ ଅତିଥି, ଅଭିଭାବକ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


