ଗଞ୍ଜାମ: ଯାତ୍ରା ଚାଲିଥିବା ବେଳେ ଅଚାନକ ରକ୍ତାକ୍ତ ସଂଘର୍ଷ। ମଞ୍ଚରେ ମହାଭାରତ ନାଟକ ପରିବେଷଣ ହେଉଥିବା ସମୟରେ ଘଟିଲା ଛୁରାମାଡ଼। ଏଭଳି ହିଂସାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁରେ। ଏହି ଘଟଣାରେ କାହ୍ନା ନାହାକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଛୁରାମାଡ଼ କରିଥିବା ଅଭିଯୋଗରେ ଥିବା ବାଦଲ ପାହାନ ଓ ଭୋଳା ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ତୋଟା ଗାଁରେ କୋଠିଶାଳ ଯାତ୍ରା ଚାଲିଥିବା ବେଳେ ମହାଭାରତ ନାଟକ ପରିବେଷଣ ହେଉଥିଲା। ଏହି ସମୟରେ କୌଣସି କାରଣକୁ ନେଇ ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହା ଉଗ୍ରରୂପ ନେବା ସହ ଛୁରାମାଡ଼ରେ ପରିଣତ ହୋଇଥିଲା। ଏଥିରେ କାହ୍ନା ନାହାକ ଗୁରୁତର ଆହତ ହୋଇଥିବା ବେଳେ ବାଦଲ ଓ ଭୋଳା ମଧ୍ୟ ଆହତ ହୋଇଥିଲେ।
ଘଟଣା ପରେ ତିନି ଜଣଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କାହ୍ନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସେପଟେ ଚିକିତ୍ସା ପରେ ବାଦଲ ଓ ଭୋଳାଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖିଛି।
ଖଲ୍ଲିକୋଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଛୁରାମାଡ଼ର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଚାଲିଥିବା ସମୟରେ ଏଭଳି ହିଂସାକାଣ୍ଡ ଘଟିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।


