ପେଟାର ଶ୍ରେଷ୍ଠ ବ୍ୟକ୍ତିତ୍ବ ତାଲିକାରେ କୋହଲି

Published: Nov 20, 2019, 6:10 pm IST

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପେଟା ପକ୍ଷରୁ 2019 ପାଇଁ ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବରେ ଚୟନ କରାଯାଇଛି । ଭାରତରେ ପଶୁପକ୍ଷୀଙ୍କ ବିକାଶ ପାଇଁ କୋହଲିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । କୋହଲି ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ପେଟାକୁ ଏକ ପତ୍ର ଲେଖିବା ସହିତ ଆମେର ଦୁର୍ଗରେ ବନ୍ଦ ରହିଥିବା ହାତୀ ମାଲତୀର ମୁକ୍ତି ପାଇଁ ଅନୁରୋଧ କରିଥିଲେ । ମାଲତୀକୁ 8 ଜଣ ବ୍ୟକ୍ତି ଅମାନୁଷିକ ନିର୍ଯାତନା ପ୍ରଦାନ କରୁଥିଲେ । କୋହଲିଙ୍କ ଚିଠି ପରେ ଜୀବଜନ୍ତୁଙ୍କ ପାଇଁ ରହିଥିବା ଜୀବଜନ୍ତୁ ଅଧିନିୟମ 1960ରେ ମଧ୍ୟ ପରିବର୍ତ୍ତନ ଅଣାଯାଇଥିଲା । ଏହି ପରିବର୍ତ୍ତନ ଅନୁଯାୟୀ ପଶୁପକ୍ଷୀଙ୍କୁ ନିର୍ଯାତନା ପ୍ରଦାନ କଲେ ଦଣ୍ଡ ସହିତ ଜରିମାନାର ବ୍ୟବସ୍ଥା ରହିଛି । ଏତଦ୍‌ବ୍ୟତିତ କୋହଲି ବେଙ୍ଗାଲୁରୁରେ ପଶୁପକ୍ଷୀଙ୍କ ପାଇଁ ଏକ ଆଶ୍ରୟ ସ୍ଥଳ ମଧ୍ୟ ନିର୍ମାଣ କରିଛନ୍ତି । କୋହଲିଙ୍କ ପୂର୍ବରୁ ପଶୁସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶଶୀ ଥରୁର୍‌, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କେ ଏସ୍‌ ପାନିକର୍‌ ରାଧାକ୍ରିଷ୍ଣନ୍‌, ସନ୍ନି ଲିଓନି, ସୋନମ କପୁର, କପିଲ ଶର୍ମା, ହେମା ମାଲିନୀ, ଆର ମାଧବନ୍‌ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Related posts