ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ପାଇଁ 16 କୋଟି ଟଙ୍କା ମଞ୍ଜୁର କଲେ ନବୀନ

Published: Feb 12, 2020, 6:21 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ 16 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏଥିରେ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ । ଏହି ନିଷ୍ପତ୍ତି ଅନୁଯାୟୀ ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ବର କ୍ୟାଥ୍‌ଲିକ୍‌ ଚର୍ଚ୍ଚକୁ ଦୁଇ କୋଟି ଟଙ୍କା ଓ ଭୁବନେଶ୍ବର ୟୁନିଟ୍‌-4 କ୍ୟାପିଟାଲ୍‌ ମସ୍‌ଜିଦ୍‌କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମିଶନ ରୋଡସ୍ଥିତ କଟକ ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ୍‌ ଇ ରସୁଲ୍‌ ମସ୍‌ଜିଦ୍‌କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି କେନ୍ଦ୍ରାପଡାର ଫକୀରବାଦ ମରକାଡି ମସ୍‌ଜିଦ୍‌, ଭଦ୍ରକ ପୁରୁଣା ବଜାର ଜାମା ମସ୍‌ଜିଦ୍‌, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ୍‌ ମସଜିଦ୍‌, ସମ୍ବଲପୁର ସେଣ୍ଟ ଯୋଶେଫ୍‌ କ୍ୟାଥେଡ୍ରାଲ, ବ୍ରହ୍ମପୁର ଭାପୁର ବଜାର ଜାମିୟା ମସ୍‌ଜିଦ୍‌, ଗିରିରୋଡ୍‌ ବ୍ରହ୍ମପୁର ଓଡିଆ ବାପଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ ମିଶନାରୀ ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସ୍‌ଜିଦ୍‌କୁ ଏକ କୋଟି ଟଙ୍କା ଲେଖାଏଁ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ମଞ୍ଜୁର କରାଯାଇଛି ।

Related posts