ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ ପ୍ରତିବାଦରେ ଚିଲିକା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Published: Mar 20, 2020, 10:14 pm IST

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳରେ ନୂତନ ପଞ୍ଚାୟତ ଗୃହ ନିର୍ମାଣକୁ ଆଜି ବନ୍ଦ ରଖାଯାଇଛି। ଏହି ବନ୍ଦ ପ୍ରତିବାଦରେ ଚିଲିକା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଚିଲିକା ବ୍ଲକର ୧୧ ଜଣ ସରପଞ୍ଚ, ୯ଜଣ ସମିତିସଭ୍ୟ, ୩ ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ପଞ୍ଚାୟତର ୱାର୍ଡ ମେମ୍ବରଙ୍କ ଦ୍ଵାରା ଏହି ପ୍ରତିବାଦ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଓଡିଶା ସରକାରଙ୍କ ପଞ୍ଚାୟତ ବୃଦ୍ଧି ନିୟମ ଅନୁଯାୟୀ, ଚିଲିକା ବ୍ଲକରେ ଥିବା ବଡକୁଳ ପଞ୍ଚାୟତକୁ ଦୁଇଟି ପଞ୍ଚାୟତରେ ପରିଣତ କରାଯାଇଥିଲା। ଡୁଙ୍ଗମାଳକୁ ନୂତନ ପଞ୍ଚାୟତ ଭାବରେ ଅନୁମୋଦନ କରାଗଲା। ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନଙ୍କ ଦ୍ଵାରା ୦୯.୦୩. ୨୦୧୯ରେ ଶିଳାନ୍ୟାସ ମଧ୍ୟ କରାଯାଇଥିଲା। ଗୃହ ନିର୍ମାଣ କାର୍ଯ୍ୟ କାମ ଚାଲିଥିବା ବେଳେ ଶୁକ୍ରବାର ଅଚାନକ କନିଷ୍ଠ ଯନ୍ତ୍ରୀ ପହଞ୍ଚି କାର୍ଯ୍ୟବନ୍ଦର ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟବନ୍ଦର କାରଣ ସମ୍ପର୍କରେ ଜେଇଙ୍କୁ ନାଏବ ସରପଞ୍ଚ ପଚାରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ଏହାପରେ ନାଏବ ସରପଞ୍ଚ ଘଟଣା ସମ୍ପର୍କରେ ସରପଞ୍ଚ ଲକ୍ଷ୍ମୀ ସେଠୀ ଏବଂ ସମିତିସଭ୍ୟ ସଙ୍ଘମିତ୍ରା ନାୟକଙ୍କୁ ଜଣାଇଥିଲେ। ପରେ ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଅବଗତ କରାଯିବା ପରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା।

ପ୍ରତିବାଦ ସ୍ଥଳରେ ବିଡିଓ ସୁଷମା ବାରିକ ପହଞ୍ଚି ପ୍ରତିବାଦକାରୀଙ୍କୁ ବୁଝାଇଥିଲେ। କୋରୋନା ଭାଇରସ୍‌ ଆତଙ୍କ କାରଣରୁ କାମ ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି ବୋଲି ବିଡିଓ ମତ ରଖିଥିଲେ। ଯଦି ସମଗ୍ର ବ୍ଲକ୍‌ର କାର୍ଯ୍ୟ ବନ୍ଦ ରହୁଛି ତେବେ ଏହା ସ୍ବାଗତଯୋଗ୍ୟ, ମାତ୍ର ଯଦି ଉଦ୍ଦେଶ୍ୟମୂଳକ ଭାବରେ କେବଳ ଡୁଙ୍ଗମାଳ ପଞ୍ଚାୟତର କାର୍ଯ୍ୟ ବନ୍ଦ କରାଯାଉଥାଏ ତେବେ ଭବିଷ୍ୟତରେ ପ୍ରତିବାଦକୁ ତୀବ୍ର କରାଯିବ ବୋଲି ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ କୁମାର ମହାନ୍ତି କହିଛନ୍ତି।

Related posts