ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବର୍ତ୍ତମାନ ସାରା ପୃଥବୀ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ଏଭଳି ବିପତ୍ତି ବର୍ତ୍ତମାନର ମଣିଷ ମାନେ କେବେ ବି ଦେଖିନଥିଲେ। ହାହାକାରମୟ, ଆତଙ୍କିତ, ଆଶଙ୍କିତ ପରିବେଶ। ନୀରବତାର ପୃଥିବୀରେ ଏକରୁ ଅନେକ ମଣିଷ ମନରେ ସେଇ କେବଳ ଗୋଟିଏ ପ୍ରଶ୍ନ, କେବେ ଘଟିବ ଅନ୍ତ? କରୋନାର କରୁଣ ପ୍ରହାର ଆଗରେ ହାର ମାନିଛି ସଭ୍ୟ ସମାଜର ଜ୍ଞାନବିଜ୍ଞଶନ ବୌଦ୍ଧିକ ଚେତନାର ସମସ୍ତ ସୂତ୍ର। ହେଲେ ଯେଉଁ ମଣିଷମାନେ ପ୍ରତିଦିନ ସନ୍ତୁଳିତ ହୋଇ ଅକୁହା ବେଦନାର ଚିନ୍ତାଗ୍ରସ୍ତ ଚାପରେ ଷଢ଼ୁଛନ୍ତି ସେଇ ମଣିଷର କଥା, ବ୍ୟଥା ଲେଖିଲେ କଲମ ମଧ୍ୟ କାନ୍ଦି ଉଠିବ। ଗଂଜାମ ଜିଲ୍ଲାରେ ୧୬ ଦିନ ପୂରଣ କରିଛି ଲକ୍ଡ଼ାଉନ୍।
ବ୍ରହ୍ମପୁର ସହରର ନିକଟବର୍ତ୍ତୀ ଅଂଚଳରେ ବସବାସ କରୁଥିବାଖଟିଖିଆ, ଦିନ ମଜୁରିଆ, ରିକ୍ସା ଚାଳକ ଶ୍ରମ ଜୀବନର ଦୁଃଖ ଅଜାଡ଼ି ହୋଇ ପଡ଼ିଛି ପାହାଡ଼ ଉପରେ ଏମାନଙ୍କ ସଂସାରରେ। ଛୋଟ କୁଡ଼ିଆ ତଳେ ଜୀବନର ଦାରୁଣ ଚିତ୍ର ସତରେ ଅସହ୍ୟ।
ଗଂଜାମ ଜିଲ୍ଲା ପ୍ରଶାସନ ନିଷ୍ଠାର ସହ କରୋନାର ଭୟକୁ ଦୂରେଇ ଯାବତୀୟ ପ୍ରୟାସ ଚଲାଇଛି। ପୋଲିସ୍ ଅଧିକାରୀ ମଧ୍ୟ ଅନୁରୂପ କୌଣସି ବିଷୟରେ ସାମାନ୍ୟ ତ୍ରୁଟି ନ ରଖି ନିଜ କାର୍ଯ୍ୟ ସଂପାଦନାରେ ମଗ୍ନ ରହିଛନ୍ତି। ଏଇମାନଙ୍କ ପାଇଁ ଗଂଜାମ ଜିଲ୍ଲା ଏକପ୍ରକାର ଅଭେଦ୍ୟ ଗଡ଼ର ଭ୍ରମ ସୃଷ୍ଟି କରୁଛି। କୌଣସି ପ୍ରକାରେ କରୋନାର ପ୍ରକୋପ ବୃଦ୍ଧି ନପାଉ ଏହା ସମସ୍ତଙ୍କ ଏକମାତ୍ର ଲକ୍ଷ୍ୟ। ଏପରି ସମୟରେ ଡ଼ାକ୍ତରୀ ବିଜ୍ଞାନ ସହ ପ୍ରତ୍ୟକ୍ଷ ସଂପର୍କ ରଖିଥିବା ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ଡ଼ାକ୍ତର, ପ୍ରଫେସର, ଛାତ୍ରଛାତ୍ରୀ ଏବଂ ସିନିୟର ରେସିଡ଼େଣ୍ଟ ପ୍ରାୟ ଏକହଜାର ପ୍ରସ୍ତୁତ ଅଛନ୍ତି ଏହା ନିଶ୍ଚୟ ଯେ, କୌଣସି ପରିସ୍ଥିତିର ମୁକାବିଲା ପାଇଁ। ଏଇମାନଙ୍କ ସାଧନ ଯଥେଷ୍ଟ ନହେଲେ ବି ନିରାଶାଜନକ ମଧ୍ୟ ନୁହଁ।
ବର୍ତ୍ତମାନ ଗଂଜାମ ଜିଲ୍ଲା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ଶୀର୍ଷରେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବଶାଳୀ ପଦାଧିକାରୀମାନେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହି ପ୍ରତି ବ୍ଲକ୍ର ତଥ୍ୟକୁ ନେଇ ଅନୁଶୀଳନ ଓ ବୈଠକ ଘଡ଼ି ଘଡ଼ିକେ ବସୁଛି। ଏପରିକି ମିଡ଼ିଆ ମଧ୍ୟ ଟେର୍ ପାଉନି। ଲକ୍ଡ଼ାଉନ୍ ପରେ ସାଧାରଣ ଜନତା ଅଧିକ ସଚେତନ ହୋଇ ଲୋକଶୂନ୍ୟ ହୋଇଯାଉଛି ରାଜପଥ। କୌଣସି ସମୟରେ କରୋନାର ପ୍ରହାରରୁ ବଂଚିତ ହେବା ପାଇଁ ସମସ୍ତଙ୍କ ପ୍ରୟାସ ବଳବତ୍ତର ସମୟ ସାଥୀ ହେଲେ ଓଡ଼ିଶାର ବର୍ତ୍ତମାନ ସ୍ଥିତିର ଗଂଜାମର କଥା ଭିନ୍ନ ହେବ। ଆମେ ଘରେ ରହି ମୁକାବିଲାରେ ଯଦି ସଫଳ ହେବା କରୋନା ଚିତ୍ର ଦୁର୍ବଳ ହେବ ଏହା ନିଃସଂଦେହ।
ତେବେ ଗଂଜାମ ଜିଲ୍ଲାର ଖଟିଖିଆ, ଦିନ ମଜୁରିଆ, ରିକ୍ସାଚାଳକ, ଶ୍ରମଜୀବୀଙ୍କ ପାଇଁ ୧୬ ଦିନ ଧରି କୌଣସି କାମଧନ୍ଦା ନାହିଁ। ସରକାରୀ ସୁବିଧା ଓ ସେବା ଯାହା ଦିଆଯାଇଛି ସେଥିରେ ସବୁ ପରିବାରର ପ୍ରାଣୀଙ୍କ ପେଟ ପୁରିବା ମଧ୍ୟ କ’ଣ ସମ୍ଭବ। ଏପରି ଏକ ଅପ୍ରତ୍ୟାଶିତ ଆକ୍ରମଣ ରୋଗର ଦାଉରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବାବେଳେ ଅନେକ ସାଂଘାତିକ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି। ଅସହାୟ ଜୀବନୀର ସ୍ୱର ଭାବରେ ଗଣମାଧ୍ୟମ ଯେତିକି ସହଯୋଗ କରିଛି ନିଶ୍ଚୟ ବନ୍ଦନୀୟ କିନ୍ତୁ ସାଧାରଣ ମଣିଷର କଥାବ୍ୟଥାକୁ କେମେରା ଓ ଲେଖନୀ ଯୋଡ଼ି ଦେଲେ ଏହି କରୁଣ ଚିତ୍ରଗୁଡ଼ିକ କେତେ ସାଂଘାତିକ ସ୍ପଷ୍ଟ ବାରି ହୋଇପଡ଼ିବ। ଏଭଳି ସହରର ଦୁଇ ଜଣ ଖଟିଖିଆଙ୍କୁ ଆମେ ଭେଟି ତାଙ୍କ ଦୁଃଖ ଶୁଣିଥିଲୁ। ଏହି ଦୁଇଜଣ ହେଲେ ଗରିବ ଶ୍ରମଜୀବୀ କାଳିଆ ଦାସ ଓ ଅନ୍ୟ ଜଣେ ରିକ୍ସାବାଲା ବିକ୍ରମ। କାଳିଆ ଦାସ ଉତ୍କଳ ହଲ୍ ଆପାର୍ଟମେଣ୍ଟ ପଛପଟେ ଥିବା ଏକ ବସ୍ତିରେ କୁଡିଆ ଘରେ ରହିଛି। ଦିନରେ ଗୋଟିଏ ଓଳି ଖାଇବା ଯୋଗାଡ କରିବା ବହୁ କଷ୍ଟ ହୋଇପଡିଛି ତାଙ୍କ ପକ୍ଷରେ।
ସେହିପରି ରିକ୍ସାବାଲା ବିକ୍ରମଙ୍କ କାହାଣୀ ଆହୁରି ଦାରୁଣ। ଖାଲାସୀ ସାହିରେ ରହୁଥିବା ବିକ୍ରମଙ୍କ ସ୍ତ୍ରୀ ପିଲାଛୁଅଙ୍କ ସହ ବାପା ମା’ ରହୁଛନ୍ତି। ପୂର୍ବରୁ ସହରରେ ଅତ୍ୟଧିକ ଅଟୋସଂଖ୍ୟା ବଢ଼ିଯିବାରୁ ଆଉ ରିକ୍ସାରେ କେହି ଯାତାୟତ କରୁନଥିଲେ। ବର୍ତ୍ତମାନ ଏଭଳି କରୋନା ଯୋଗୁଁ ଆଉ ରିକ୍ସାରେ ଭଡ଼ା ହେଉନାହିଁ। ପ୍ରତିଦିନ ରିକ୍ସା ଚଳାଇଲେ ଯାହା ରୋଜଗାର କରୁଥିଲି ସେଥିରେ ସେ ଚଳୁଥିଲେ କିନ୍ତୁ କରୋନାର ତାଡନାରେ ତାଙ୍କ ଦୁଃଖ ଆହୁରି ବଢିଯାଇଛି। କିଛି ସଞ୍ଚୟ ନଥିବାରୁ ଏପରି ସମୟରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଛି।
ବିକ୍ରମ ଏବଂ କାଳିଆଙ୍କ ପରି ଶହ ଶହ ଶ୍ରମଜୀବୀ, ରିକ୍ସାଚାଳକ ଏବଂ ଦାଦନ ଶ୍ରମିକ ବର୍ତ୍ତମାନ ଭାଗ୍ୟକୁ ନିନ୍ଦି ଘରେ ପଡ଼ି ରହିଛନ୍ତି। କରୋନା ବଡ଼ବଡ଼ିଆ, ଚାକିରିଆ ତଥା ସଂଚୟ କରି ରଖିଥିବା ଲୋକଙ୍କ ପାଇଁ ମଉଜ, ମଜଲିସ୍ର ଦିନ ଆଣିଥିବାବେଳେ ଗରିବ, ଖଟିଖିଆଙ୍କ ପାଇଁ ଦୁଃଖର ପାହାଡ଼ ଲଦିଦେଇଛି। ସରକାରୀ ସ୍ତରରେ ସାହାଯ୍ୟ ପ୍ରଦାନ କରାଯାଉଛି କିନ୍ତୁ ତୃଣମୂଳ ସ୍ତରରେ ସାହାଯ୍ୟ ପହଞ୍ଚିଲା ପର୍ଯ୍ୟନ୍ତ ଏମାନେ ବଂଚିଥିଲେ ହେଲା।