ଲକ୍‌ଡାଉନ୍‌ରୁ ବାଦ ପଡିଲା କୃଷି କାର୍ଯ୍ୟ : କୃଷିଜାତ ଦ୍ରବ୍ୟର ପରିବହନ ଉପରୁ କଟକଣା ହଟିଲା

Published: Apr 13, 2020, 12:43 pm IST

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏକ ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ପ୍ରେସ୍‌ ମିଟ୍‌ରେ କୃଷିକାର୍ଯ୍ୟକୁ ଲକ୍‌ଡାଉନ୍‌ରୁ ରିହାତି ପ୍ରଦାନ କରାଯାଇଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଥିଲେ । ଆସନ୍ତା କାଲି ଠାରୁ ଲାଗୁ ହେବାକୁ ଥିବା ଲକ୍‌ଡାଉନ୍‌ରେ ସମସ୍ତ ପ୍ରକାର ଚାଷ କାର୍ଯ୍ୟ କରିହେବ । ଏପରିକି କୃଷି ଓ କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲା ରଖାଯିବ । ତଳି ରୁଆଁ ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇପାରିବ । ଏପରିକି ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ନେବା ଉପରେ କୌଣସି କଟକଣା ଲଗାଯିବ ନାହିଁ । ରାଜ୍ୟର ସମସ୍ତ ଶୀତଳଭଣ୍ଡାର ଓ ଗୋଦାମ ଖୋଲା ରହିବ । ଖରିଫ ଋଣ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ଏବଂ ରବି ଫସଲ ପରେ ସମସ୍ତ ମଣ୍ଡି ଖୋଲା ରହିବ ବୋଲି ଜଣାପଡିଛି । ତେବେ କୃଷି ଉପରୁ ଲକ୍‌ଡାଉନ୍‌ କଟକଣା ହଟାଯାଇଥିଲେ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି ।

Related posts