କଳାହାଣ୍ଡି ଇଂଜିନିୟରିଂ କଲେଜରେ ରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା

Published: Apr 25, 2020, 12:57 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା। ଭବାନୀପାଟଣା-ଜୁନାଗଡ ରାସ୍ତା ଏନଏଚ-୨୬ ରାଜପଥ ଉପରେ ବାନ୍ଦୋପଲା ଠାରେ ଥିବା କଳାହାଣ୍ଡି ଇଂଜିନିୟରିଂ କଲେଜ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କଳାହାଣ୍ଡି କୋଭିଦ-୧୯ ଡାକ୍ତରଖାନା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଯାଇଛି। ଏହି ଡାକ୍ତରଖାନାରେ ୬ଟି ଆଇସିୟୁ ଭେଂଟିଲେଟର ସୁବିଧା ସହିତ ସନ୍ଦିଗ୍ଧ କରୋନା ରୋଗୀଙ୍କ ପାଇଁ ୭୦ ଟି ପୃଥକ ଆଇସୋଲେସନ କକ୍ଷ ରହିଛି। ଏଥିସହ ଏହି ଡାକ୍ତରଖାନାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ରହିବା ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସିଡିଏମଓ ଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡି କୋଭିଦ-୧୯ ଡାକ୍ତରଖାନା ନିମନ୍ତେ ଓଡିଶା ଖଣି ନିଗମ ଆର୍ଥୀକ ସହାୟତା ଯୋଗାଇ ଦେଉଥିବା ବେଳେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାର ପରିଚାଳନା ଦାୟୀତ୍ୱ ନେଇଥିବା ଜଣାପଡିଛି।

 

ଏହି ଡାକ୍ତରଖାନାରେ ଆଇସିୟୁ ମାନେଜମେଂଟ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୫ଜଣ ଡାକ୍ତରଙ୍କ ସମେତ ୩୭ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଇସିୟୁ ପାଇଁ ୧୦ ଜଣ ଷ୍ଟାଫ ନର୍ସଙ୍କ ସମେତ ୫୧ ଜଣ ଷ୍ଟାଫ ନର୍ସ ନିୟୋଜିତ କରାଯାଇଛି। ଆଇସିୟୁ ପାଇଁ ଜଣେ ଫାର୍ମାସିଷ୍ଟଙ୍କ ସମେତ ୯ ଜଣ ଫାର୍ମସିଷ୍ଟଙ୍କୁ ନିୟୋଜିତ କରାଯାଇଥିବା ବେଳେ ଜଣେ ମାଇକ୍ରୋବାଇଲୋଜିଷ୍ଟଙ୍କ ସମେତ ୮ ଜଣ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିଯୁକ୍ତି କରାଯାଇଛି। ଏଥିସହିତ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ବିଷୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ କଳାହାଣ୍ଡି ଦକ୍ଷିଣ ଡିଏଫଓ ଶ୍ରୀ ଟି. ଅଶୋକ କୁମାରଙ୍କୁ ପ୍ରାଧିକୃତ ଅଧିକାରୀ ଭାବେ ଦାୟୀତ୍ୱ ଦିଆଯାଇଥିବା ବେଳେ ଏଡିପିଏଚଓ ଡା, ନିହାରେନ୍ଦ୍ର କୁମାର ପଣ୍ଡାଙ୍କୁ କୋଭିଦ ଡାକ୍ତରଖାନାର ପ୍ରଶାସନିକ ପ୍ରାଧିକୃତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।

Related posts