କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହାର ଦାବିରେ ପୋଲିସ୍‌ ସହ ଧସ୍ତାଧସ୍ତି

Published: May 26, 2020, 12:15 pm IST

ରାଉରକେଲା : କଣ୍ଟେନେମଣ୍ଟ ଜୋନ୍‌ ପ୍ରତ୍ୟାହାର ଦାବିରେ ରାଉରକେଲାରେ ପୋଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ମହତାବ ରୋଡ୍‌ ଓ ଏହାର ଆଖପାଖ ଅଞ୍ଚଳବାସୀ ତାତିଥିବାବେଳେ ମୁଖ୍ୟ ରାସ୍ତାକୁ ଆଜି ସକାଳେ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ରାଉରକେଲା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ ଜଣାଇଛନ୍ତି । ରାଉରକେଲା ମୁଖ୍ୟ ରାସ୍ତା ଉପରେ ପଥର ମାଡ କରିବା ସହିତ ପୋଲିସ୍‌ ସହିତ ଧସ୍ତାଧସ୍ତି ହୋଇଛନ୍ତି ଜନତା । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ୍‌ ମୂତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ଲାଗି 8 ପ୍ଲାଟୁନ୍‌ ପୋଲିସ୍‌ ନିୟୋଜିତ କରାଯାଇଛି । ସ୍ଥିତି ସୁଧାରିବା ଲାଗି ରାଉରକେଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ଲୋକପ୍ରତିନିଧିଙ୍କ ସହ ଜିଲ୍ଲାପାଳ ଶାନ୍ତି ଆଲୋଚନା କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ କିଛି ଅଞ୍ଚଳରୁ ବଫର୍‌ ଜୋନ୍‌ ଉଠିବା ପରେ ଅନ୍ୟ ଅଞ୍ଚଳର ଲୋକେ ତାତିଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସେ ତଳେ ରାଉରକେଲାର କେତେକ ଅଞ୍ଚଳକୁ ବଫର୍‌ ଜୋନ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ତେବେ ଗତ ରାତିର ପାଓ୍ବାର ହାସଉ ରୋଡ ସ୍ଥିତ ମଙ୍ଗଳ ଭବନରୁ ଜନତା ନିବାସ ପର୍ଯ୍ୟନ୍ତ ବଫର ଜୋନ୍‌କୁ ପ୍ରତ୍ୟାହାର କରାଯାଇଥିଲା । ତେବେ ମଧୁସୂଦନ ମାର୍ଗରୁ ଆନନ୍ଦ ଭବନ ଲେନ୍‌ ପର୍ଯ୍ୟନ୍ତ ଅଞ୍ଚଳକୁ ବଫର ଜୋନ୍‌ରୁ ବାଦ୍‌ ଦିଆଯାଇଥିଲା । ଏହା ପରେ ନିଜ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠାଇବାକୁ ଜିଦ୍‌ ଧରିଥିଲେ ସ୍ଥାନୀୟ ବାସୀ ।

Related posts