ରଜ କଟକଣା ଜାରି କଲେ ଖୋର୍ଦ୍ଧା ଜିଲ୍ଲାପାଳ

Published: Jun 13, 2020, 6:41 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ରଜ ପର୍ବ ପାଳନ ଉପରେ କଟକଣା ଜରି କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଉଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ ଏକ ବିଜ୍ଞପ୍ତି ଜରିଆରେ ରଜ କଟକଣା ଜାରି କରିଛନ୍ତି । ଦିନକୁ ଦିନ ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ରଜ ସମୟରେ ସାମାଜିକ ଏକତ୍ରୀକରଣ ଦ୍ବାରା ଏହି ଭାଇରସ୍‌ ବ୍ୟାପିବାର ସମ୍ଭାବନା ଅଧିକ ରହିଛି ।

ଭାଇରସ୍‌ ବ୍ୟାପିବାର ଆଶଙ୍କାକୁ ପ୍ରତିହତ କରିବା ପାଇଁ ସମସ୍ତ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଏକତ୍ର ହୋଇ ତାସ୍‌ ଖେଳିବା, ରଜ ଦୋଳି ଏବଂ ଅନ୍ୟାନ୍ୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତ 14 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି ନିୟମର ଉଲ୍ଲଂଘନ କରାଗଲେ ଆଇପିସିର ଧାରା 188 ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ, କେନ୍ଦୁଝର, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏନେଇ କଡା କଟକଣା ଜାରି କରାଯାଇଛି ।

Related posts