ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ଝଟ୍‌କା : ଇସ୍ତଫା ଦେଲେ ରଘୁବଂଶ ପ୍ରସାଦ ସିଂ

Published: Jun 23, 2020, 3:13 pm IST

ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ବଡ ଝଟ୍‌କା ଲାଗିଛି । ଆର୍‌ଜେଡିର ଉପାଧ୍ୟକ୍ଷ ରଘୁବଂଶ ପ୍ରସାଦ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି  ପାଞ୍ଚ ବିଧାନ ପରିଷଦ ସଦସ୍ୟ (ଏମ୍‌ଏଲ୍‌ସି) ମଧ୍ୟ ଦଳର ସାଥ୍‌ ଛାଡିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସଞ୍ଜୟ ପ୍ରସାଦ, କମରେ ଆଲମ୍‌, ରାଧାଚରଣ ସେଠ, ରଣବିଜୟ ସିଂହ ଓ ଦିଲ୍ଲୀପ ରାୟ ଏମ୍‌ଏଲ୍‌ସି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏନେଇ ବିଧାନସଭ ପରିଷଦ ସଭାପତି ଅବଧେଶ ନାରାୟଣ ସିଂ ସୂଚନା ଦେଇଛନ୍ତି। ଏହି ପାଞ୍ଚ ଜଣ ନେତା ଏବେ ନୀତିଶ୍‌ଙ୍କ ଦଳ ଜେଡିୟୁରେ ସାମିଲ୍‌ ହେବେ ବୋଲି ସୂଚନା ରହିଛି ।

ଇସ୍ତଫା ଦେଇଥିବା ଏମଏଲ୍‌ସିର ସଦସ୍ୟମାନେ ଲାଲୁ ପ୍ରସାଦ ଯାଦବଙ୍କ ଅତି ପାଖ ଲୋକ ବୋଲି ସୂଚନା ରହିଛି । ଏହି ସମେସ୍ତ ଆର୍‌ଜେଡିର ପରିବାରବାଦ ରାଜନୀତି ଓ ତେଜସ୍ବୀ ଯାଦବଙ୍କ ନେତୃତ୍ବକୁ ନେଇ ଅସନ୍ତୁଷ୍ଟ ରହିଥିବାର ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଜୁଲାଇ 7 ତାରିଖରେ ବିହାର ବିଧାନପରିଷଦର 9ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଆରଜେଡି ତରଫରୁ ତେଜ ପ୍ରତାପକୁ ପ୍ରାର୍ଥୀ କରାଯାଇଛି । ଆର୍‌ଜେଡିର ପାଖରେ ରହିଥିବା ବିଧାୟକଙ୍କ ସଂଖ୍ୟା ଆଧାରରେ 9ରୁ ତିନୋଟି ଆସନରେ ଆରଜେଡି ଜିତିବ ବୋଲି ସୂଚନା ରହିଛି । କିନ୍ତୁ ତେଜ ପ୍ରତାପକୁ ବିଧାନପରିଷଦକୁ ପଠାଇବାକୁ ନେଇ କିଛି ନେତା ନାରାଜ ହୋଇଛନ୍ତି । ଏହି ନାରାଜ ନେତାଙ୍କ ମଧ୍ୟରେ ବିଧାନ ପରିଷଦର 5 ଜଣ ସଦସ୍ୟ ରହିଛନ୍ତି ।

ବିଧାନ ପରିଷଦର କାର୍ଯ୍ୟକାରୀ ସଭାପତି ହାରୁଣ ରସିଦ୍‌, ହିରା ପ୍ରସାଦ ବିନ୍ଦ, ପିକେ ଶାହୀ, ସତୀଶ କୁମାର, ସୋନେଲାଲ୍‌ ମେହତା, କୃଷ୍ଣକୁମାର ସିଂ, ରାଧାମୋହନ ଶର୍ମା ଓ ସଞ୍ଜୟ ପ୍ରକାଶଙ୍କ କାର୍ଯ୍ୟକାଳ ପୂରା ହୋଇଛି । (ଏଜେନ୍ସି)

Related posts