ବାଲୁଗାଁ ଅବକାରୀ ବିଭାଗର ବଡ଼ ସଫଳତା : ପାଞ୍ଚ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ

Published: Jul 9, 2020, 2:12 pm IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ :  ଗତ କିଛିଦିନ ହେବ ବାଲୁଗାଁ-ବାଣପୁର ଅଞ୍ଚଳରେ ଅବକାରୀ ବିଭାଗ ବେଶ୍‌ ସକ୍ରିୟ ରହିଥିବାବେଳେ ଆଜି ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ୍‌ଆଇ ମନୋଜ କୁମାର ବାରିକ୍‌ ଓ ତାଙ୍କ ଟିମ୍‌ ଆଜି 5 କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛନ୍ତି ।

କୌଣସି ସୂତ୍ରରୁ ପୂର୍ବରୁ ଖବର ପାଇ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଜାତୀୟ ରାଜପଥଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅବକାରୀ ବିଭାଗ ଛପି ରହିଥିଲେ। ପାଖାପାଖି ସକାଳ 6.30ରେ ଅଭିଯୁକ୍ତ ନବକିଶୋର ପରିଡାଙ୍କୁ ଗଞ୍ଜେଇ ସହ ଧରିବାରେ ସଫଳ ହୋଇଥିଲେ ଅବକାରୀ ବିଭାଗ ।ବାଲୁଗାଁରୁ ତାଙ୍କ ଘର ଟାଙ୍ଗୀ ଅଭିମୁଖେ ଯାଉଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ। ଅଭିଯୁକ୍ତଙ୍କଠାରୁ 5 କିଲୋ 200 ଗ୍ରାମର ଗଞ୍ଜେଇ  ସହ ଓଡି25ଏଚ୍‌2380ନମ୍ବରର ଏକ ଟିଭିଏସ୍‌ ଜୁପିଟର୍‌ ସ୍କୁଟି ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଅଭିଯୁକ୍ତଙ୍କୁ ଗିରଫ କରି ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ କେସ୍‌ ନଂ  32/20 ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ, ବାଲୁଗାଁ –ବାଣପୁର  ଅଞ୍ଚଳରେ ଅବକାରୀ ବିଭାଗ ବେଶ୍‌ କିଛି ଦିନ ହେବ ସକ୍ରିୟ ରହିଛି । ବହୁ ଚୋରା ମଦ ଚାଲାଣକୁ ରୋକିବା ସହ ଆଜି ଗଞ୍ଜେଇ ଜବତ କରିଛନ୍ତି । ଅବକାରୀ ବିଭାଗର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଛନ୍ତି ।

Related posts