ଭୋଟ ବର୍ଜନ କଲେ ତିର୍ତ୍ତୋଲ ବ୍ଲକର ୬୦୦ରୁ ଉର୍ଦ୍ଧ୍ଵ ଭୋଟର

Published: Nov 4, 2020, 12:00 pm IST

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନର ମତଦାନ ଶେଷ ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକର ୨ଟି ପଞ୍ଚାୟତ ୩ଟି ୱାର୍ଡର ୬୦୦ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡିଛି। ଉକ୍ତ ବ୍ଲକର ଗୋପାଳପୁର, କଟରା ଓ ବିରିତୋଳ ପଞ୍ଚାୟତ ସ୍ଥିତ କେତେକ ଗ୍ରାମର ଭୋଟରମାନେ ଭୋଟ ବର୍ଜନ ପାଇଁ ପୂର୍ବରୁ ଧମକ ଦେଇଥିଲେ। ଏହି ସବୁ ପଞ୍ଚାୟତ ଦେଇ ଯାଇଥିବା ୧୦ନଂ କେନାଲ ବନ୍ଧ ରାସ୍ତା ଗମନାଗମନ ନିମନ୍ତେ ଅନୁପଯୁକ୍ତ ହୋଇଥିବାରୁ ଏହିରାସ୍ତା ନିର୍ମାଣ ନହେଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଜିଲାପାଳଙ୍କୁ ଅଭିଯୋଗ କରିଥିଲେ ବୋଲି ସୂଚନା ମିଳିଥିଲା।

ବିରିତୋଳ ପଞ୍ଚାୟତ କଣ୍ଟିଗଡିଆ ଗ୍ରାମର ଲୋକମାନେ ଭୋଟ ବର୍ଜନ ନକରି ଭୋଟ ଦାନ କରିଥିବା ବେଳେ କଟରା ଓ ଗୋପାଳପୁର ପଞ୍ଚାୟତ ୩ଟିୱାର୍ଡର ୬୦୦ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡିଛି। କଟରା ପଞ୍ଚାୟତ ୧୯ନଂ ୱାର୍ଡ ୧୪୦(ଏ) ବୁଥରେ ହାଜିନଗର ଗାଁର ୫୫୭ ଜଣ ଭୋଟର ଭୋଟ ନଦେଇ ଭୋଟ ବର୍ଜନ କରିଥିବା ଜଣାପଡିଛି। ସେହିଭଳି ଗୋପାଳପୁର ପଞ୍ଚାୟତ ୧୦ନଂ ୱାର୍ଡର ମଇନ୍ଦପୁର ଗ୍ରାମ ଓ ୧୧ନଂ ୱାର୍ଡର କେତେକ ଭୋଟର ଭୋଟ ବର୍ଜନ କରିଥିବା ଜଣାଯାଇଛି।

Related posts