ଆରଏମସି ଦ୍ବାରା ଆଦାୟ ହେଉଥିବା ବିରି, ମୁଗ, ଚିନାବାଦାମ ଉପରୁ ଛାଡ କରାଗଲା ମାର୍କେଟ ଫିସ୍‌

Published: May 8, 2020, 9:36 pm IST

ଭୁବନେଶ୍ୱର, ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ବିରି, ମୁଗ, ଚିନାବାଦାମ, ସୂର୍ଯ୍ୟମୂଖୀ ସଂଗ୍ରହ କାର୍ଯ୍ୟ ମେ ୭ ତାରିଖରୁ ଆରମ୍ଭ କରାଯାଇଥିବାବେଳେ ବିରି, ମୁଗ ଓ ଚିନାବାଦାମ (ଚୋପା ସହିତ) ବିକ୍ରି ଉପରେ ନିୟନ୍ତ୍ରଣ ବଜାର କମିଟି (ଆର୍‌.ଏମ.ସି)ମାନଙ୍କ ଦ୍ୱାରା ବଜାର ଅଞ୍ଚଳରେ ଆଦାୟ କରାଯାଉଥିବା ମାର୍କେଟ ଫିସ୍‌କୁ ଛାଡ କରାଯାଇଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର ଅଧିନିୟମ ୧୯୫୬ (୧୯୫୭ ର ଓଡ଼ିଶା ଅଧିନିୟମ ୩)ର ଧାରା ୪ର ଉପଧାରା (୭) ଦ୍ୱାରା ଅର୍ପିତ କ୍ଷମତା ଦ୍ୱାରା ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏହି ଛାଡ କରିଛନ୍ତି । ଏହି ଛାଡ ମଇ ୭ ତାରିଖରୁ ଅଗଷ୍ଟ ୫ ତାରିଖ, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି ।

ରାଜ୍ୟର ୧୬ଟି ଜିଲ୍ଲାରେ ମଇ ୭ ତାରିଖରୁୁ ମାର୍କଫେଡ଼ ଦ୍ୱାରା ସରକାରଙ୍କ ମୂଲ୍ୟ ସହାୟକ ଯୋଜନା (ପି.ଏସ.ଏସ) ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ବିରି, ମୁଗ ଓ ତୈଳବୀଜ ସଂଗ୍ରହ କରାଯାଉଛି । ନାଫେଡ ପକ୍ଷରୁ ରାଜ୍ୟରେ ମାର୍କଫେଡ ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାର ସଂଗ୍ରହ କରୁଛି । ଏହି ସଂଗ୍ରହ କାର୍ଯ୍ୟ ମଇ ୭ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଧିକ ଉତ୍ପାଦିତ ହେଉଥିବା ରାଜ୍ୟର ୧୬ଟି ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ବିରି, ମୁଗ ଓ ଚିନାବାଦକ (ଚୋପା ସହ) ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି । ସୂଚନାଯୋଗ୍ୟ ଯେ, କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିଥିବାବେଳେ ରାଜ୍ୟ ସରକାର ଡାଲି ଓ ତୈଳବୀଜ ବିକ୍ରି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Related posts