ଗିରିଶ୍ଚନ୍ଦ୍ରପୁର ରେଞ୍ଜରେ ଅବାଧରେ ଜନ୍ତୁ ଶୀକାର କୁଟୁରା ମାଂସ, ଜୀବନ୍ତ ଶୁଆ ,ବନ୍ଧୁକ ସହ ୫ ଜଣ ଗିରଫ

Published: Jan 20, 2022, 10:01 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଂଚଳରେ ଅବାଧରେ ଜନ୍ତୁ ଶିକାର ଚାଲିଥିବା ବେଳେ ବନବିଭାଗ ଶିକାରୀମାନଙ୍କୁ ଧରିବାରେ ସଫଳ ହୋଇଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସକାଳ ୬ ଟା ସମୟରେ ଗିରଶ୍ଚନ୍ଦ୍ରପୁର ରେଞ୍ଜର ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗିରିଶ୍ଚନ୍ଦ୍ରପୁର ବନାଂଚଳ ଅଧିନସ୍ଥ ବଡବାହାଳ ଗ୍ରାମ ନିକଟରେ ଅବାଧରେ ଜନ୍ତୁ ଶିକାର କରି ଫେରୁଥିବା ୨ ଜଣ ବେପାରୀ ସହ ୩ ଜଣ ଜନ୍ତୁ ଶିକାରୀକୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ କୁଟୁରାମାଂସ ୫ କେଜି, ଜୀବନ୍ତ ଶୁଆ ୧୪ ଟି, ସମ୍ବର ମୁଣ୍ଡ ସହ ସିଙ୍ଗ, ଦେଶୀ ବନ୍ଧୁକ ୧ ଟି, ଅଫୁଟା ଗୁଳି ୩ ଟା, ଧନୁତୀର ୨ ଟା ଶିକାର ପାଇଁ ବ୍ୟବହୃତ ଫାଶ ୧ ସେଟ୍, ଏବଂ ସେମାନେ ବ୍ୟବହାର କରୁଥିବା ଏକ ହୋଣ୍ଡା ଲିଭୋ ମୋଟର ସାଇକେଲ କୁ ଜବତ କରିଛି ବନ ବିଭାଗ।

ଏହି କାରବାରରେ ସଂପୃକ୍ତି ଥିବା ବେପାରୀ କିସିଣ୍ଡା ଥାନା ପାରଧିଆମୁଣ୍ଡା ଗ୍ରାମର ଇନ୍ଦ୍ର ବେହେରା (୨୯) ଏବଂ ସୁରେନ୍ଦ୍ର ବେହେରା (୩୦) ଏବଂ ଶିକାରୀ ଧର୍ମୁ ଶବର (୫୩), କାର୍ତ୍ତିକ ଶବର (୫୮) ଏବଂ ରମାକାନ୍ତ ଶବର (୨୫) ଙ୍କୁ ବନବିଭାଗ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ଅନୁଯାୟୀ ଗିରଫ କରିବା ସହ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ସୁଜିତ୍ କୁମାର ପ୍ରଧାନଙ୍କ ନେତୃତ୍ୱରେ ସଦଳବଳେ ଏହି ଚଢାଉ କରାଯାଇଥିଲା।

Related posts