ଖୋର୍ଦ୍ଧା: ବ୍ରାଉନ ସୁଗାର ସହିତ ନକଦ ସାଢେ ତିନି ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

Published: May 10, 2022, 10:16 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ସଫଳତା। ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଟାଉନ ଥାନା ଅନ୍ତର୍ଗତ ଭାଲିଆବାଡ଼ି ଅଞ୍ଚଳର ହତିଆଶୁଣି ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟରିଆ ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ଉକ୍ତ ଅଞ୍ଚଳର ଏକ ଘରେ ବ୍ରାଉନ ସୁଗାର କାରବାର ଚଳୁଥିବା ସମୟରେ ବେପାରିଙ୍କୁ ଗିରଫ କରିଥିଲା।

କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ୨୦.୧୫ ଗ୍ରାମ ବ୍ରାଉନ ସୁଗାର ସହିତ ନକଦ ୩ ଲକ୍ଷ ୫୧ ହଜାର ୨୦୦ ଟଙ୍କା ଏବଂ ଏକ ବାଇକ ପୋଲିସ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଜବତ କରିଛି। ଜବତ ବ୍ରାଉନସୁଗରର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଭାଲିଆବାଡ଼ି, ହତିଆଶୁଣି ସାହିର ରାଜେଶ ପଟ୍ଟନାୟକ(୨୧)। ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୧(ଖ)/୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୨୦/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଏସ ଆଇ ସମୀର ଦଳେଇ , ପଦ୍ମଲୋଚନ ବେହରା, ସସ୍ମିତା ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Related posts