ଜଙ୍କିଆ: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

Published: Aug 7, 2022, 9:19 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନସୁଗାର କାରବାର ବହୁଳ ଭାବରେ ଚାଲିଛି। ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ପୋଲିସ ନିରନ୍ତର ଭାବେ ଚଢ଼ାଉ ଜାରି ରଖିଥିବା ବେଳେ ବ୍ରାଉନସୁଗାର ବେପାରୀମାନେ ନୂଆ ନୂଆ ତରିକାରେ ବେପାର କରୁଛନ୍ତି। ବେପାରୀମାନେ ବର୍ତ୍ତମାନ ସହର ଛାଡି ଏବେ ଗାଁ ଗହଳିରେ ସେମାନଙ୍କ ବେପାର ବେଧଡକ ଭାବରେ ଚଲାଉଛନ୍ତି।

ଏକ କାର ଯୋଗେ ବ୍ରାଉନସୁଗାର ନେଇ ବିକ୍ରୀ କରିବା ପାଇଁ ଯାଉଥିବା ବେଳେ କୈଣସି ସୂତ୍ରରୁ ଖବର ପାଇ ଜଙ୍କିଆ ପୋଲିସ ହଜ ଗ୍ରାମରେ ଚଢ଼ାଉ କରି ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨୫ଗ୍ରାମ ବ୍ରାଉନସୁଗାର, ଏକ କାର ଏବଂ ନକଦ ୧୮ହଜାର ୨୦୦ ଟଙ୍କା ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ।

ଗିରଫ ଦୁଇ ବେପାରୀ ହେଲେ ହଜ ଗ୍ରାମର ସନ୍ତୋଷ ବଳିୟାରସିଂ ଓ ନିରଞ୍ଜନ ପଲେଇ। ଉଭୟଙ୍କ ବିରୋଧରେ ଜଙ୍କିଆ ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୨୮୨/୨୨ ରେ ଏକ ମାମଲା ରୁଜୁ ଆଜି କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଉକ୍ତ ଚଢ଼ାଉରେ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ସାମିଲ ଥିଲା।

Related posts