ପାଞ୍ଚ ଜାତୀୟ ରାଜପଥ ଲୁଟେରାଙ୍କୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କାର ସୁନା ଚେନ ଉଦ୍ଧାର

Published: Sep 12, 2022, 11:41 pm IST

ଖୋର୍ଦ୍ଧା: ପୋଲିସ ହାତରେ ବନ୍ଧାହେଲେ ଜାତୀୟ ରାଜପଥ ଲୁଟେରା। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଏହି ଲୁଟେରାମାନଙ୍କୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ଟାଉନ ଥାନା ଶରଧାପୁର ଗ୍ରାମର ପ୍ରସନ୍ନ କୁମାର ଦାସଙ୍କ ନିକଟରୁ ଦୁର୍ବୁତ୍ତ ମାନେ ୫୭ ନମ୍ବର ଜାତୀୟ ରାଜପଥ ବଡଶଙ୍ଖ ଛକ ନିକଟରେ ସୁନା ଚେନ ଲୁଟି ଫେରାର ହୋଇଯାଇଥିଲେ। ଏ ନେଇ ଟାଉନ ଥାନାରେ କେସ ନମ୍ବର ୪୩୩/୨୨ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ତେବେ କୌଣସି ବିଶେଷସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ କୁମାର ଦାସ ଓ ଆଇଆଇସି ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ଏସଆଇ ସୁକାନ୍ତ ଦଳାଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଚନ୍ଦନ ନାୟକ (୨୯), ଭଗବାନ ନାୟକ (୨୬), ଦେବାଶିଷ ସ୍ୱାଇଁ (୨୫), ଆକାଶ ବଢ଼େଇ (୨୨) ଏବଂ ପପୁ ବଢ଼େଇ (୨୦) ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇ ଗୋଟି ବାଇକ ଜବତ କରିଛି ପୋଲିସ। ପଚରାଉଚୁରା ବେଳେ ଉକ୍ତ ଅଭିଯୁକ୍ତ ମାନେ ବଡଶଙ୍ଖ ଏବଂ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରୁ ପୂର୍ବରୁ ଡକାୟତି କରିଥିବାର ପୋଲିସ ସାମ୍ନାରେ ସ୍ୱୀକାର କରିଥିଲେ। ଏବଂ ଲୁଟ ସୁନା ଅଳଙ୍କାର ଗୁଡିକୁ ମାନପୁରମ ଫାଇନାନ୍ସ ଏବଂ ଏସବିଆଇରେ ବନ୍ଧକ ରଖି ଲୋନ ଆଣୁଥିଲେ।

ତେବେ ପୋଲିସ ଉଭୟ ସଂସ୍ଥାରେ ତଦନ୍ତ କରି ପାଖାପାଖି ୫୦ ଗ୍ରାମ ଓଜନରୁ ଉର୍ଦ୍ଧ ୫ ଗୋଟି ସୁନା ଚେନ (ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ଵ) କୁ ନିଜ ହେପାଜତକୁ ଆଣିବାର ପ୍ରକ୍ରିୟା ଜାରିରଖିଥିବାର ଜଣାପଡିଛି। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ଅହମ୍ମଦ ସୂଚନା ଦେଇଛନ୍ତି।

Related posts