ଖୋର୍ଦ୍ଧାରୁ ୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କଲା ଟାଉନ ଥାନା ପୋଲିସ, ଚାରି ଗିରଫ

Published: Sep 22, 2022, 12:47 pm IST

ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ବଢୁଥିବା ବେଳେ ଏହାକୁ ରୋକିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଛି। ତେବେ ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ସଫଳତା ମିଳିଛି। ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ୍ରି ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲେ ଏସପି ସିଦ୍ଧାର୍ଥ କଟାରିଆ। ଏସପି ଙ୍କ ନିର୍ଦ୍ଦେଶ ମୁତାବକ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ସମ୍ପୃକ୍ତ ସ୍ଥାନରୁ ୫୧ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୫ ଲକ୍ଷ ୧୦ ହଜାର ଟଙ୍କା) ଜବତ କରାଯାଇଥିବା ବେଳେ ଦୁଇ ଗୋଟି ବାଇକ ସମେତ ଚାରି ଜଣ ଅଭିଯୁକ୍ତ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଗୁରୁଜଙ୍ଗ ଅଞ୍ଚଳର ସର୍ବେଶ୍ୱର ବେହେରା ଓରଫ ବାପି (୨୪) ଓ ଜୀବନ ମିଶ୍ର (୩୦), ମଠ ସାହିର କବିରାଜ ପ୍ରଧାନ (୪୦) ଏବଂ କଟକ ଜିଲ୍ଲା ବାଙ୍କୀ ଥାନା ଚମ୍ପତିପୁର ଅଞ୍ଚଳର ଚିକୁନ କୁମାର ସାହୁ (୨୦)।

ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଟାଉନ ଥାନାରେ କେସ ନମ୍ବର ୪୫୭/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।

Related posts