ବାଲୁଗାଁରେ ଅନ୍ତଃଜିଲା ଅପରାଧୀ ଗିରଫ, ସତର୍କ ରହିବାକୁ ପୋଲିସର ପରାମର୍ଶ

Published: Oct 4, 2022, 10:48 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଜଣେ ଅଭ୍ୟାସରତ ଅପରାଧୀକୁ ଆଜି ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଚନ୍ଦନ ଘଟୁଆଳ ଓରଫ କାହ୍ନା। ଚନ୍ଦନ ପୁର୍ବରୁ ମଧ୍ୟ ଚୋରି କେସ ରେ ଜେଲ ଯାଇଥିବା ବେଳେ ଗତକାଲି ପୁଣି ଜଣେ ବ୍ୟକ୍ତିଙ୍କ ନିକଟରୁ ମୋବାଇଲ ଛଡାଇ ଫେରାର ହୋଇଯାଇଥିଲେ। ପୀଡ଼ିତ ବ୍ୟକ୍ତି ଜଣକ ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ କଲା ପରେ ପୋଲିସ କେସ ନମ୍ବର ୧୯୮/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ଅନୁସନ୍ଧାନରେ ଲାଗି ପଡିଥିଲା।

ତେବେ ଆଜି ଆଇଆଇସି ରଶ୍ମିରଞ୍ଜନ ଦାସ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ତାଙ୍କ ନିକଟରୁ ଲୁଟ ମୋବାଇଲ ସମେତ ଏକ ଚୋରି ସ୍ପୋର୍ଟ୍ସ ସାଇକେଲ ମଧ୍ୟ ଉଦ୍ଧାର କରିଛି ପୋଲିସ। ହେଲେ ଚନ୍ଦନ ଏକ ଅନ୍ତଃଜିଲା ଅପରାଧୀ ହୋଇଥିବା ବେଳେ ତାଙ୍କର ଏକ ଅପରାଧୀ ଗ୍ୟାଙ୍ଗ ରହିଥିବାର ପୋଲିସ କହିଛି।

ତେବେ ଉକ୍ତ ଗ୍ୟାଙ୍ଗ ନୟାଗଡ଼, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ଅପରାଧିକ ଗତିବିଧିରେ ସାମିଲ ଥିବା ଜଣାପଡିଛି। ତେଣୁ ବାଲୁଗାଁ ଥାନା ଅଞ୍ଚଳର ନାଗରିକ ମାନେ ନିଜର ବହୁମୂଲ୍ୟ ଜନିଷଗୁଡିକୁ ଦାୟିତ୍ୱରେ ରଖିବା ପାଇଁ ପରାମର୍ଶ ଦେବା ସହ ଯଦି କୌଣସି ସଂନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଞ୍ଚଳରେ ଦେଖନ୍ତି, ତେବେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେବା ପାଇଁ ଅନୁରୋଧ କରିଛନ୍ତି ଆଇଆଇସି ଶ୍ରୀ ଦାସ।

Related posts