ଦୁଇ ମହିଳାଙ୍କୁ ହାଣି କାତି ସହ ଅଭିଯୁକ୍ତର ଥାନାରେ ଆତ୍ମ ସମର୍ପଣ

Published: Jan 24, 2023, 12:31 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରରେ ଏକ ଅଭାବନୀୟ ଘଟଣା ଘଟିଛି।  ଯାହାକି ସେହି ସାହିର ଶୁଭମ୍ ସାହୁ ନାମକ ଜଣେ ଯୁବକ ଉକ୍ତ ସାହିର ଜନୈକ ମହିଳାଙ୍କୁ ଅତର୍କିତ ଆକ୍ରମଣ କରିଥିବା ଜଣାପଡିଛି। ସେହି ସମୟରେ ଆହତ ମହିଳାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଜଣେ ମହିଳା ପହଞ୍ଚିଥିବା ବେଳେ ତାଙ୍କୁ ମଧ୍ୟ ଶୁଭମ୍ ଆକ୍ରମଣ କରିଛନ୍ତି।

ସୂଚନା ମୁତାବକ ଶୁଭମଙ୍କର ଜନୈକ ମହିଳାଙ୍କ ସହ ଆଗରୁ ସମ୍ପର୍କ ଥିବା କୁହାଯାଉଛି। କିନ୍ତୁ ଉକ୍ତ ମହିଳାଜଣଙ୍କ ଅନ୍ୟ କାହା ସହିତ ସମ୍ପର୍କ ଥିବା ଜାଣିବା ପରେ ସେ କ୍ରୋଧିତ ହୋଇ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି।

ଶୁଭମ୍ ରାଗରେ ଜର୍ଜରିତ ହୋଇ ମାରଣାସ୍ତ୍ର ଧରି ଉକ୍ତ ମହିଳାଙ୍କ ଘରକୁ ଯାଇଥିଲା। କିନ୍ତୁ ସେଠାରେ ସେ ତାଙ୍କୁ ପାଇନଥିଲା। ସେହି ମହିଳା ଜଣଙ୍କ ନିଜ ଝିଅକୁ ଟିଉସନ୍ ରୁ ଆଣିବାକୁ ଯାଇଥିବା ଶୁଣି ଶୁଭମ୍ ସିଧା ସେଠାକୁ ଯାଇ ଧରିଥିବା କାତିରେ ମହିଳାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ସେତେବେଳେ ଟିଉସନ୍ ଦିଦିଙ୍କ ଭଉଣୀ ଛଡ଼ାଇବାକୁ ଆସିଲା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରି ଶୁଭମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଆହତ ଦୁଇ ମହିଳାଙ୍କୁ ସମ୍ପର୍କୀୟ ଲୋକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସମୟ ପରେ ଶୁଭମ୍ କାତି ସହ ବଡ଼ବଜାର ଥାନାରେ ଆତ୍ମ ସମର୍ପଣ କରିଥିଲା ଓ ସେ ନିଜେ ମହିଳା ଦ୍ବୟଙ୍କୁ ହାଣି ଥିବା କହିଥିଲା। ବଡ଼ବଜାର ଥାନା ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ଆହତ ଗୁରୁତର ମହିଳାଙ୍କ ବୟାନ ରେକର୍ଡ କରିଛନ୍ତି ଓ ଉକ୍ତ ଯୁବକକୁ ଥାନାରେ ରଖି ପଚରାଉଚରା କରୁଛନ୍ତି।

Related posts