ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପରେ ଖାଲିସ୍ତାନୀ ସମର୍ଥକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

Published: Mar 21, 2023, 10:12 am IST

ନୂଆଦିଲ୍ଲୀ: ସୋମବାର ଦିନ ଭାରତରେ ଖାଲିସ୍ତାନୀ ସମର୍ଥକଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରାଯାଇଛି। ଏହି ବ୍ଲକ ଆକାଉଣ୍ଟରେ କାନାଡାର ନ୍ୟୁ ଡେମୋକ୍ରାଟିକ୍ ପାର୍ଟିର ନେତା ଜଗମିତ ସିଂଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ରହିଛି। ବାସ୍ତବରେ ଖାଲିସ୍ତାନୀ ନେତା ଅମୃତପାଲ ସିଂଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧ ପରେ ଏହି ଆକାଉଣ୍ଟଗୁଡିକୁ ବନ୍ଦ କରାଯାଇଛି।

ଏହି କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ଘଟିଛି, ଯେତେବେଳେ ଖାଲିସ୍ତାନୀ ଉପଦ୍ରବୀମାନେ ବିଦେଶରେ ଥିବା ଭାରତୀୟ କନସୁଲେଟ୍ ଏବଂ ହାଇ କମିଶନଙ୍କ ଉପରେ ଆକ୍ରମଣ କରୁଛନ୍ତି। କାନାଡାର କବୟତ୍ରୀ ରୂପୀ କୌର, କାର୍ଯ୍ୟକର୍ତ୍ତା ଗୁରୁଦୀପ ସିଂ ସହୋତାଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି। ଜଗମିତ ସିଂ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଜଣାଶୁଣା, ତେଣୁ ତାଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଛି।

ବାସ୍ତବରେ, ରବିବାର ଦିନ ଖାଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନରେ ଭଙ୍ଗାରୁଜା କରିଥିଲେ ଏବଂ ତ୍ରିରଙ୍ଗାକୁ କାଢି ନେଇଥିଲେ। ଏଥି ସହିତ ଖାଲିସ୍ତାନୀ ଉପଦ୍ରବୀମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଭାରତ ଏଭଳି ଆକ୍ରମଣ ଖବର ଉପରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛି।

ଲଣ୍ଡନରେ ଘଟିଥିବା ଘଟଣା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବ୍ରିଟିଶ ବରିଷ୍ଠ କୂଟନୀତିଜ୍ଞଙ୍କୁ ଡକାଇଥିଲା। ଏଥି ସହିତ, ସାନ ଫ୍ରାନ୍ସିସ୍କୋରେ ହୋଇଥିବା ଭଙ୍ଗାରୁଜା ପରେ ଭାରତ ଦିଲ୍ଲୀରେ ଆମେରିକାର ଚାର୍ଜ ଡି’ଆଫେୟାରଙ୍କ ସହ ଏକ ବୈଠକରେ ଦୃଢ ବିରୋଧ ପ୍ରଦର୍ଶନ କରିଥିଲା। ଯେଉଁଥିରେ ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ଏହି ଘଟଣାକୁ ନିନ୍ଦା କରି କହିଥିଲେ ଯେ, ଆମେ ଭାରତର କୂଟନୀତିଜ୍ଞ ଏବଂ ସେମାନେ ଅଧିକାରୀମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁ ଯେ, ଆମେ ସେମାନଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Related posts