ମ୍ୟାଚିଂ ଶାଢୀ ଓ ଲିପିଷ୍ଟିକ୍‌ ପାଇଁ ସ୍ବାମୀଙ୍କ ବିରୋଧରେ ଏତଲା ଦେଲେ ମହିଳା

Published: Nov 4, 2020, 3:55 pm IST

ଉତ୍ତରପ୍ରଦେଶ : ସାଧାରଣତଃ ମହିଳାମାନେ ଶୃଙ୍ଗାରପ୍ରିୟ । ତେବେ ଏହି ଶୃଙ୍ଗାର ସାମଗ୍ରୀ ପାଇଁ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏପରି ଏକ ଅଜବ ମାମଲା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ପୋଲିସ୍‌ ମହିଳା ଉତ୍ପୀଡନ ମାମଲାର ତ୍ବରିତ ଶୁଣାଣି ତଥା ସମାଧାନ ପାଇଁ ପ୍ରତ୍ୟେକ ଥାନାରେ ମହିଳା ହେଲ୍ପ ଡେସ୍କ ସ୍ଥାପନ କରିଛନ୍ତି । ମିଶନ ଶକ୍ତି ଆଧାରରେ ସ୍ଥାପିତ ହୋଇଥିବା ଏହି ମହିଳା ଡେସ୍କ କିଛି ଦିନ ଭିତରେ ଆରମ୍ଭ ହୋଇଛି । ଏଠାକୁ ପ୍ରତ୍ୟେହ ମହିଳାମାନେ ନିଜ ନିଜ ସମସ୍ୟାକୁ ନେଇ ପହଞ୍ଚି ଅଭିଯୋଗ କରିଥଶ’ନ୍ତି । ତେବେ ଏଠାରେ ପ୍ରାୟତଃ ଘରୋଇ ହିଂସାର ମାମଲା ଆସିଥିଲା । କିନ୍ତୁ ଚନ୍ଦୌଲୀ ଥାନା ସ୍ଥାପିତ ମହିଳା ହେଲ୍ପ ଡେସ୍କକୁ ଏମିତି ଏକ ମାମଲା ଆସିଛି, ଯାହାକୁ ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଅଭିଯୋଗକାରିଣୀ ନିଜ ସ୍ବାମୀଙ୍କ ନାମରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗଟା ଟିକେ ନୁହେଁ ବରଂ ପୂରା ଭିନ୍ନଧରଣର। ମହିଳାଙ୍କ ସ୍ବାମୀ ତାଙ୍କୁ ମ୍ୟାଚିଂ ଶାଢୀ, ଲିପିଷ୍ଟିକ୍‌, ଚୁଡି ଓ ମେକଅପ୍‌ ସାମଗ୍ରୀ ନ ଦେବାରୁ ଏନେଇ ଅଭିଯୋଗ କରିଛନ୍ତି ମହିଳା। ତେବେ ଏପରି ଅଜବ ମାମଲା ଶୁଣି ସେଠାରେ ନିୟୋଜିତ ଥିବା ମହିଳା ପୋଲିସ୍‌ କର୍ମୀମାନେ ଆଶ୍ଚର୍ଯ୍ୟ ହେବା ସହିତ ମହିଳାଙ୍କୁ ବୁଝାଇଥିଲେ ।  ବହୁ ବୁଝାଇବ ପରେ ମହିଳା ଜଣକ ବୁଝିଥିଲେ । ମହିଳାଙ୍କ ଅଭିଯୋଗ ଶୁଣି ସେଠାରେ ନିୟୋଜିତ ରହିଥିବା ମହିଳା ପୋଲିସ୍‌ କର୍ମୀଙ୍କ ଅକଲ ଗୁଡୁମ ହୋଇଥିଲା । ପରେ ବହୁ କଷ୍ଟରେ ମହିଳାଙ୍କୁ ବୁଝାଇସୁଝାଇ ଘରକୁ ପଠାଇଥିଲେ ।

ତେବେ ମହିଳା ଜଣକ କହିଥିଲେ ଯେ କେବଳ ମ୍ୟାଚିଂ ଶାଢୀ, ଲିପିଷ୍ଟିକ କି ଚୁଡି ତାଙ୍କ ସ୍ବାମୀ ଦେଉନାହାନ୍ତି ତାହା ନୁହେଁ ଯେବେ ଗ୍ୟାସ୍‌ ସରିଯାଏ, ତେବେ ତାଙ୍କ ସ୍ବାମୀ ତାଙ୍କୁ ଘଷି ଓ କାଠରେ ରୋଷେଇ କରିବାକୁ କୁହନ୍ତି । ମହିଳା ଜଣକ ରାଗରେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ ପ୍ରଥମେ ଏହି କଥା ଶୁଣି ମହିଳା ପୋଲିସ୍‌ କର୍ମୀ ଚିନ୍ତାରେ ପଡିଥିଲେ ତେବେ ତାଙ୍କୁ ଶେଷରେ ବୁଝାଇ ପାରିବାରେ ସଫଳ ହୋଇଥିଲେ । (ଏଜେନ୍ସି)

Related posts