ଆଜି ମୁକ୍ତେଶ୍ବର ନୃତ୍ୟ ଉତ୍ସବରେ ଡୋନା ଗାଙ୍ଗୁଲିଙ୍କ ଓଡିଶୀ ନୃତ୍ୟ, ଶିବ ତାଣ୍ଡବରେ ଆରମ୍ଭ ହୋଇଥିଲା ପ୍ରଥମ ସଂଧ୍ୟା

Published: Jan 15, 2021, 1:57 pm IST

ଭୁବନେଶ୍ବର, ପର୍ଯ୍ୟଟନ ବିଭାଗ ତରଫରୁ ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଭୁବନେଶ୍ବର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଏହି ଉତ୍ସବର ପ୍ରଥମ ସଂଧ୍ୟାରେ ଶିବ ସ୍ତୋତ୍ରରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଏହି ସଂଗୀତ ପରିବେଷଣ କରାଯାଇଥିଲା।  ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ। ପ୍ରଥମେ ମଙ୍ଗଳାଚରଣ ପରେ ରାଗ ବିହ୍ଲରୀ ଓ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ।

ସେହିପରି ଅଭିନୟ ପର୍ଯ୍ୟାୟରେ ରାମାୟଣର ଶବରୀ ଉପାଖ୍ୟାନ ପରିବେଷଣ କରିଥିଲେ। ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ମୀରା ଦାସ। ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରୀତିସା ମହାପାତ୍ର ଓ ରିବ୍‍ଧିତା ବରୁଆଙ୍କ ଦ୍ୱାରା ପ୍ରଥମେ ଶିବସ୍ତୁତି ଜୟ ମହେଶ ପରେ ପରେ ପଲ୍ଲବୀ ଓ ଶେଷରେ ଅଭିନୟ ଶ୍ରୀରାମସ୍ତୁତି ପରିବେଷଣ କରିଥିଲେ। ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ସଂଯୋଜନା ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ପଦୀପ କୁମାର ଦାସ କରିଥିଲେ ।

ଶେଷରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦଳଗତ ଓଡିଶୀ ନୃତ୍ୟ କରାଯାଇଥିଲା।  ମଙ୍ଗଳାଚରଣରେ ଶ୍ରୀଗଣେଶ ଏବଂ ଶେଷରେ ଅଭିନୟ ଶକ୍ତି ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂଯୋଜନା ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା ।

ଆଜି ସଂଧ୍ୟାର ଦ୍ବିତୀୟ ସଂଧ୍ୟାରେ ରହିଛି ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲିଙ୍କର ଓଡିଶୀ ନୃତ୍ୟ ପ୍ରଦର୍ଶନ।

Related posts