ଶେଷରେ କଂଗ୍ରେସ ଛାଡିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ବିଜେଡିରେ ଦେବେ ଯୋଗ

Published: Oct 22, 2021, 10:05 am IST

ଭୁବନେଶ୍ବର: ବହୁ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ଛାଡିଲେ ବରିଷ୍ଠ ନେତା ତଥା ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଆଜି ସେ ଏଆଇସିସିର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ହାତ ଛାଡିଲେ ବୋଲି ଜଣାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବହୁ ଦୁଃଖ ଏବଂ କଷ୍ଟରେ କଂଗ୍ରେସ ଛାଡୁଛନ୍ତି। କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଇସ୍ତଫା ପତ୍ରରେ ଆହୁରି କହିଛନ୍ତି ଯେ, ସେ କଂଗ୍ରେସରେ ଯେଉଁ ପଦବୀରେ ରହିବା କଥା ତାହା ତାଙ୍କୁ ମିଳିଛି। ସେ କଂଗ୍ରେସରେ ରହି ବେଶ୍ ଭଲ ଅନୁଭବ କରିଛନ୍ତି। ହେଲେ ଲୋକମାନଙ୍କୁ ସେବା କରିବା ପାଇଁ ଯାହା ଆବଶ୍ୟକ ତାହା ଦଳରେ ଅଭାବ ରହିଥିବାର ମୁଁ ଅନୁଭବ କଲି। ସେଥିପାଇଁ ଅଧିକ ଜନସେବାରେ ନିଜକୁ ନିୟୋଜିତ କରିବା ପାଇଁ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଲି ବୋଲି ସେ ଚିଠିରେ ଲେଖିଛନ୍ତି।

ଏହି ଉସ୍ତଫା ପତ୍ର ସେ ସୋନିଆ ଗାନ୍ଧୀଙ୍କୁ ଦେବା ସହିତ ଗୋଟିଏ ଗୋଟିଏ କପି ରାହୁଳ ଗାନ୍ଧୀ, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଏଆଇସିସି ସାଧାରଣ ସଂପାଦକ ରୁଦ୍ର ରାଜୁଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

ପ୍ରଦୀପ ମାଝି ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ। ସେ ନବରଂଗପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ସାଂସଦ ଥିଲେ। ରାଜ୍ୟ କଂଗ୍ରେସର ସେ ଜଣେ ଟାଣୁଆ ନେତା ଭାବରେ ବେଶ୍ ପରିଚିତ। ସେ ସିଧା ରାହୁଳ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସଂପର୍କରେ ଥିଲେ। ହେଲେ ରାଜ୍ୟ କଂଗ୍ରେସ ତଥା ନବରଂଗପୁର କଂଗ୍ରେସ ଉପରେ ପ୍ରଦୀପ ଖପ୍ପା ଥିଲେ। ସେଥିପାଇଁ ସେ ଦଳ ଛାଡିବେ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା।

କଂଗ୍ରେସ ଛାଡିବା ପୂର୍ବରୁ ପ୍ରଦୀପ ମାଝି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଦୁଇଥର ସାକ୍ଷାତ କରିଛନ୍ତି। ବର୍ତ୍ତମାନ କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ମିଶିବା ନିଶ୍ଚିତ ହୋଇଛି।

Related posts