ଆଜି ମଧ୍ୟାହ୍ନରୁ ଓଡିଶା ଉପକୂଳରେ ଆରମ୍ଭ ହେବ ବାତ୍ୟାର ପ୍ରଭାବ, ଏହି ଜିଲ୍ଲାଗୁଡିକୁ ସତର୍କ ନିର୍ଦ୍ଦେଶ

Published: Dec 3, 2021, 5:33 am IST

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଲେ ଯେ, କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଗତକାଲିର ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସକାଳ ୫.୩୦ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ୍‌ ସାଗର ଅଞ୍ଚଳରେ ଗୋଟିଏ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି, ଯାହା ପରବର୍ତ୍ତୀ ସମୟରେ ସମାନ ଅଞ୍ଚଳରେ ମଧ୍ୟ ସକ୍ରିୟ ରହିଛି ।

ଏହା ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏକ ଅବପାତର ରୂପନେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଡିସେମ୍ବର ୪ ତାରିଖ ସକାଳ ସମୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରେଦଶ-ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସନ୍ଧ୍ୟା କିମ୍ବା ରାତ୍ରି ସମୟରୁ ବୃଷ୍ଟିପାତରେ ବୃଦ୍ଧି ସହ ଏବଂ ଡିସେମ୍ବର ୩ ତାରିଖରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ଡିସେମ୍ବର ୪ ଓ ୫ ତାରିଖରେ ଉପକୂଳ ଏବଂ ତତ୍‌ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଗୋଟିଏରୁ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଡିସେମ୍ବର ୩ ତାରିଖ ବେଳକୁ ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ଅବଶିଷ୍ଟ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସେହିପରି ଡିସେମ୍ବର ୪ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ଡିସେମ୍ବର ୫ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଅବଶିଷ୍ଟ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଡିସେମ୍ବର ୩ ତାରିଖରେ ଗଜପତି. ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଡିସେମ୍ବର ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡ଼ିକୁ ଲାଲ୍‌ ସତର୍କ ସୂଚନା ଜାରି କରାଯାଇଛି ।

ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ କମଳା ସତର୍କ (ଅରେଞ୍ଜ ୱାର୍ଣ୍ଣିଂ) ସୂଚନା ଜାରି କରାଯାଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଡିସେମ୍ବର ୫ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷ ହେବାର ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜିଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

ଲଘୁଚାପ ଅବପାତ ରୂପ ନେବା ପରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ। ଡିସେମ୍ବର ୩ ତାରିଖ ସକାଳେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ଓ ସ୍ଥଳ ବିଶେଷରେ ୮୫ କିମି ଛୁଇଁପାରେ । ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ଏବଂ ତତ୍‌ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଏବଂ ସ୍ଥଳବିଶେଷରେ ଝଟକା ପବନ ୧୧୦ କିମି ପର୍ଯ୍ୟାନ୍ତ ବୋହିବ ବୋଲି ଆକଳନ କରାଯାଇଛି । ଅପରାହ୍ନରୁ ୧୨ଟା ପର୍ଯ୍ୟନ୍ତ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗ ସହିତ ଝଟକା ପବନର ବେଗ ୯୦ କିମି ଉପରେ ରହିବାର ସମ୍ଭାବନା ରହିଛି ।

ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ପ୍ରତିକୂଳ ପରିସ୍ଥିିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ଫସଲାହାନୀକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଆବଶ୍ୟକ କୃଷି ଉପଦେଶ ଜାରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ଜିଲ୍ଲାପାଳମାନଙ୍କୁ କ୍ଷେତ୍ରୀୟ ସ୍ତରରେ କୃଷକମାନଙ୍କୁ ସେମାନଙ୍କର ଅମଳ ଫସଲ ନଷ୍ଟ ନହେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମଣ୍ଡିରେ ଧାନ ଓ ଅନ୍ୟାନ୍ୟ ଶସ୍ୟ ଯେପରି ନଷ୍ଟ ନହୁଏ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌, ଓଡ୍‌ରାଫ୍‌, ଅଗ୍ନିଶମ ସେବା ଦଳଙ୍କୁ ମୁତୟନ କରାଯାଉଛି ।

ଜିଲ୍ଲାପାଳ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗକୁ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ନିରାପଦରେ କୂଳକୁ ଫେରିଆସିଥିବାବେଳେ ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Related posts