ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜାଙ୍କ ପରଲୋକ, ଶେଷ ସମୟରେ ସେ ହସୁଥିଲେ

Published: Jan 17, 2022, 12:42 pm IST

ନୂଆଦିଲ୍ଲୀ: ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜଙ୍କ ସୋମବାର ସକାଳେ ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବର ତାଙ୍କ ନାତୁଣୀ ରାଗିଣୀ ମହାରାଜ ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ବୟସର ହୋଇଥିଲା। ଗତକାଲି ସେ ଦିଲ୍ଲୀର ତାଙ୍କ ଘରେ ଥିଲେ। ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ତାଙ୍କ ନାତୁଣୀ ରାଗିଣୀ କହିଛନ୍ତି, ରାତ୍ରୀ ପ୍ରାୟ 12ଟା 30 ପାଖାପାଖି ହେବ ତାଙ୍କ ପାଖରେ ଆମେ ସମସ୍ତେ ଥିଲୁ। ମୁଁ ମୋ ସାନ ଭଉଣୀ ଯଶସ୍ବନୀ ଏବଂ ଦୁଇ ଜଣ କଥକ ଶିଷ୍ୟ ତାଙ୍କ ବେଡ ପାଖରେ ଉପସ୍ଥିତ ଥିଲୁ। ସେତେବେଳକୁ ସେ ତାଙ୍କର ରାତ୍ରୀ ଭୋଜନ କରିସାରି ବେଡରେ ଗଡପଡ ହେଉଥିଲେ। ସେ ଯେହେତୁ ପୁରାତନ ସଙ୍ଗୀତକୁ ଭଲ ପାଉଥିଲେ ସେଥିପାଇଁ ତାଙ୍କ ପାଖରେ ଅନ୍ତାକ୍ଷରୀ ଖେଳୁଥିଲୁ।”

କିଛି ସମୟ ପରେ ସେ ଶୋଇ ପଡିଥିଲେ। ହେଲେ ହଠାତ୍ ତାଙ୍କର ଶ୍ୱାସପ୍ରଶ୍ବାସରେ ଅସ୍ବାଭିକତା ପରିଲକ୍ଷିତ ହେଲା। ତାଙ୍କ ଅବସ୍ଥା ଦେଖି ଆମେ ଭାବି ନେଲୁ ଯେ ତାଙ୍କୁ ହୃଦଘାତ ହେଲା। ପୂର୍ବରୁ ସେ ମଧ୍ୟ କିଡନୀ ରୋଗରେ ପୀଡିତ ଥିଲେ ଏବଂ ଡାଏଲିସିସ୍ କରାଯାଉଥିଲା।

ଆମେ ବିଳମ୍ବ ନ କରି ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲୁ। ହେଲେ ରାତି ଅଧରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରାଗିଣୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କର ଶେଷ ମୁହୂର୍ତ୍ତରେ ହସୁଥିଲେ।

ମହାରାଜାଙ୍କୁ ଆସନ୍ତା ଫେବୃୟାରୀ ମାସରେ 84 ବର୍ଷ ବୟସ ହୋଇଥାଆନ୍ତା। ବର୍ତ୍ତମାନ ବିରଜୁ ମହାରାଜାଙ୍କର ତିନି ଝିଅ, ଦୁଇ ପୁଅ ଏବଂ ପାଞ୍ଚଜଣ ନାତିନାତୁଣୀ ଅଛନ୍ତି।  ସାତ ବର୍ଷ ବୟସରୁ ସେ କଥକ ନୃତ୍ୟ ପରିବେଷଣ ଆରମ୍ଭ କରିଥିଲେ।

କଥକ ନୃତ୍ୟର ଆଦିଗୁରୁ ଭାବେ ବେଶ୍ ପରିଚିତ ବିରଜୁ ମହାରାଜା। ମୁଖ୍ୟତଃ ଲକ୍ଷ୍ମୌ ଘରାନା କଥକକୁ ଲୋକପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେଥିପାଇଁ ସେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

Related posts