ବିଧାନ ପରିଷଦ ସମ୍ପର୍କରେ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିବ ଓଡିଶା

Published: Feb 12, 2022, 4:03 pm IST

ଭୁବନେଶ୍ୱର: ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିବେ ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର। ବିଧାନ ପରିଷଦ ସମ୍ପର୍କରେ କେନ୍ଦ୍ରକୁ ବାଚସ୍ପତି ୨ଟି ଚିଠି ଲେଖିବେ। ଏହାପୂର୍ବରୁ ୨୦୧୮ରେ ବିଧାନ ପରିଷଦ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି କରିଥିଲେ। ତେବେ ଦୁଇଟି ଚିଠି ମଧ୍ୟରୁ ଗୋଟିଏ ଚିଠି ବିଧାନସଭା ପକ୍ଷରୁ ସଂସଦକୁ ଲେଖାଯିବାକୁ ଥିବା ବେଳେ ୨୦୧୮ରେ ଦିଆଯାଇଥିବା ଚିଠିକୁ ଏଥିରେ ସଲଗ୍ନ କରାଯିବ। ସେହିଭଳି ଅନ୍ୟଟି ବ୍ୟକ୍ତିଗତ ଭାବେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖାଯିବ। କେଉଁ ଅଧିକାରୀ ଭୁଲ ତଥ୍ୟ ଦେଲେ, ତାହାର ତଦନ୍ତ ପାଇଁ ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖାଯିବ।

ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ ପ୍ରସ୍ତାବ ଆସିନଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ କହିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ଏହି ବୟାନ ପରେ ଏହା ଦୁଃଖ ଓ ଆଶ୍ଚର୍ଯ୍ୟର ବିଷୟ ବୋଲି ବାଚସ୍ପତି କହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୮ ସେପ୍ଟେମ୍ବର ୬ ତାରିଖରେ ବିଧାନସଭାରେ ବିଧାନ ପରିଷଦ ସଂକଲ୍ପ ପାରିତ ହୋଇଥିଲା। ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ରକୁ ଚିଠି ପଠାଯାଇଥିଲା। ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କୁ ଏନେଇ ଚିଠି ପଠାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି। ପୁଣିଥରେ ୨ଟି ଚିଠି ଲେଖି ସମସ୍ତ କଥା ଅବଗତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

Related posts