ପୁଣି ଅନୁଭବ ଜାରୀ କଲେ ଆଉ ଏକ ଭିଡିଓ, ଏଥିର ସେ ସିଧା ବର୍ଷାଙ୍କ ନାଁ ନେଲେ

Published: May 22, 2022, 6:16 am IST

ଭୁବନେଶ୍ବର: ବିବାହ ବିଚ୍ଛେଦ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ଜାରୀ କରିଛନ୍ତି। ଏଥର ସେ ସିଧା ବର୍ଷାଙ୍କ ନାଁ ନେଇ ତାଙ୍କର କଣ ଭୁଲ ଥିଲା ତାହା କହିଛନ୍ତି। ଏହି ଭିଡିଓକୁ ନିଜେ ଅନୁଭବ ତାଙ୍କ ୟୁଟିୟୁବରେ ଲୋଡ କରି ସମସ୍ତେ ଦେଖନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଏଥିରେ ସେ ତାଙ୍କର ଆଠ ବର୍ଷର ବାହାଘରର ଭିତିରି କଥାକୁ ଲୋକଲୋଚନକୁ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଁ ବର୍ଷାଙ୍କୁ ବାହା ହେଲି ସତ ହେଲେ ସେ ମୋତେ ସ୍ବାମୀର ଯାହା ଅଧିକାର ତାହା ଦେଲେ ନାହିଁ। ଜଣେ ସ୍ବାମୀ ହିସାବରେ ମୋର କଣ ସେହି ଅଧିକାର ପାଇବା ଯୋଗ୍ୟ ନୁହେଁ କି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ସ୍ବାମୀ ସ୍ତ୍ରୀ ମଧ୍ୟରେ ଶାରିରୀକ ସଂପର୍କ ଏକ ପବିତ୍ର ସଂପର୍କ। ହେଲେ ବର୍ଷା ସେ ସବୁକୁ ବିଭିନ୍ନ ଆଳ ଦେଖାଇ ଆଡେଇ ଦେଇଥିଲେ। ଏହା କଣ ଜଣେ ସ୍ତ୍ରୀର କର୍ତ୍ତବ୍ୟ ବୋଲି ଅନୁଭବ ପ୍ରଶ୍ନ କରିଥିଲେ। ଏହି ପ୍ରସଂଗ ଉଠାଇ ଅନୁଭବ ନିଜକୁ କହିଛନ୍ତି ମ୍ୟାରେଡ ବ୍ୟାଚଲର।

ସେ କହିଛନ୍ତି ଯେ, ମୁଁ ବର୍ଷାକୁ ବହୁ ଭଲ ପାଇ ବାହା ହେଲି। ବାହା ଘର ପରେ ମଧ୍ୟ ତାଙ୍କୁ ଭଲ ପାଇଲି। ହେଲେ ପରେ ମୁଁ ଜାଣିଲି ଯେ, ତାଙ୍କର ଭଲ ପାଇବାର ଆଗ୍ରହ ନାହିଁ। ଯାହା ମୋତେ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହାପରେ ଆମ ଭିତରେ ଆରମ୍ଭ ହେଲା ଟଣା ଓଟରା। ତାଙ୍କର ବ୍ୟବହାର ନେଇ ଆମ ପରିବାରର ସମସ୍ତେ ବିଶେଷ କରି ଗୁରୁଜନମାନେ ବ୍ୟତିବ୍ୟସ୍ତ ହୋଇପଡିଲେ।

ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି। ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି।

ଏହି ଭିଡିଓଟି ଅପଲୋଡ ହେବା ପରେ ବର୍ତ୍ତମାନ ପ୍ରାୟ ଦେଢଲକ୍ଷ ଲୋକ ଦେଖିସାରିଲେଣି। ଏପରିକି ତାଙ୍କର ପ୍ରଶଂସକମାନେ ମଧ୍ୟ ତାଙ୍କୁ ଧର୍ଯ୍ୟ ଧରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ପୂର୍ବରୁ ମଧ୍ୟ ସେ ଏକ ଭିଡିଓ ଜାରି କରି ନ୍ୟାୟ ପ୍ରଦାନରେ ବିଳମ୍ବକୁ ଦୁଃଖର ସହ କହିଥିଲେ। ହେଲେ ଏଥର ସେ ବର୍ଷା ତାଙ୍କୁ ସ୍ବାମୀର ଅଧିକାରରୁ ବଞ୍ଚିତ କରିଛନ୍ତି ବୋଲି କହିଛନ୍ତି।

Related posts