ହେ..ମହାବାହୁ, ହେ..ମହାବାହୁ.. ଏ ସବୁ ତୁମରି ଲୀଳା ପ୍ରଭୃ, ମୁଁ କିଛି ନୁହେଁ

Published: Jun 4, 2022, 6:16 am IST

ଭୁବନେଶ୍ବର: ବହୁ ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ଆସିବା ପରେ ଅଧିକାଂଶ ଖୁସି ପ୍ରକଟ କରିଛନ୍ତି। ରୋକଠୋକ ଭାବେ ସୁପ୍ରିମ କୋର୍ଟ ଏହି ପ୍ରକଳ୍ପ ଉପରେ କୌଣସି ରହିତାଦେଶ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ସେଥିପାଇଁ ସୁପ୍ରିମକୋର୍ଟରେ ଯେଉଁ ଆବେଦନ ହୋଇଥିଲା କୋର୍ଟ ତାହାକୁ ରଦ୍ଦ କରିଦେଇଛନ୍ତି।

ଆବେଦନକାରୀ ସେମାନଙ୍କ ଆବେଦନରେ ମୁଖ୍ୟ ଦୁଇଟି କଥା ଉଲ୍ଲେଖ କରିଥିଲେ। ତାହାଥିଲା ଯେ, ଏହି ପ୍ରକଳ୍ପ ଶହେ ମିଟର ପରିଧୀ ଭିତରେ କରାଯାଉଛି। ଯାହାଦ୍ବାରା ମନ୍ଦିର ପ୍ରତି ବିପଦ ଆସିବ ବୋଲି କୁହାଯାଇଥିଲା। କୋର୍ଟ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରନ୍ତୁ ବୋଲି ଆବେଦନ କରିଥିଲେ। ଦ୍ବିତୀୟରେ ଏହି ପ୍ରକଳ୍ପର ଅନୁମୋଦନ ଭାରତ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ କରିବା ଉଚିତ। ହେଲେ ତାହା କରାଯାଇ ନାହିଁ କି ଅନୁମତି ନିଆଯାଇ ନାହିଁ। ତେଣୁ ଏହି ପ୍ରକଳ୍ପ ବେଆଇନି।

ଏହି ଦୁଇଟି କାରଣକୁ ସରକାରଙ୍କ ପକ୍ଷରୁ ଉଚିତ ଯବାବ ପ୍ରଦାନ କରାଯାଇଥିଲା। ସେଥିରେ କୁହାଯାଇଥିଲା ଯେ ପ୍ରକଳ୍ପ କାର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଏଏସଆଇର ଶହେ ମିଟର ପରିଧୀ ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ। ଦ୍ବିତୀୟରେ ଏଏସଆଇ ସହିତ ରାଜ୍ୟ ସରକାର ମିଳିତ ଭାବେ ଏହି ପ୍ରକଳ୍ପ କାର୍ଯ୍ୟ କରିବେ ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଏଏସଆଇ ତରଫରୁ ମଧ୍ୟ ଏଥିରେ ସହମତି ପ୍ରଦାନ କରାଯାଇଥିଲା।

ଏହା ଶୁଣିବା ପରେ କୋର୍ଟ ଆବେଦନକାରୀଙ୍କ ଉପରେ ଉତକ୍ଷିପ୍ତ ହୋଇପଡିଥିଲେ। ଏପରି ଅଯଥା ପିଆଇଏଲ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କୋର୍ଟ ତାଙ୍କର ରାୟରେ ଏହି ଆବେଦନକୁ ରଦ୍ଦ କରିବା ସହିତ ଆବେଦନକାରୀ କୋର୍ଟର ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି କହିଥିଲେ। ଫଳରେ ଉଭୟଙ୍କୁ ଦଣ୍ଡ ସ୍ବରୁପ ଏକ ଲକ୍ଷ ଟଙ୍କା ଜରିମାନ ମଧ୍ୟ କରିଛନ୍ତି।

ଦୁଇ ଆବେଦନକାରୀ କିଛି ବ୍ୟକ୍ତି ବିଶିଷ୍ଠ ବ୍ୟକ୍ତିଙ୍କୁ ପ୍ରରୋଚନାରେ ନିଜ ନାମ କମାଇବା ପାଇଁ କୋର୍ଟ ଦ୍ବାର ଖଟଖଟ କଲେ। ଏହାର ଫଳ ମଧ୍ୟ ଭୋଗିଲେ। ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅନୁସାରେ ପ୍ରଭୃ ଜଗନ୍ନାଥ ଯାହା କହିବାକୁ ଚାହୁଁଥିଲେ ତାହା ବିଚାରପତିଙ୍କ ତୁଣ୍ଡରେ କୁହାଇଲେ। ସେଥିପାଇଁ ଏତିକି କୁହାଯାଇପାରେ ଯେ, ହେ ପ୍ରଭୃ ଏହି ଲୀଳା ଆପଣଙ୍କର, ଆମେ ନିମିଷେ ମାତ୍ର।

Related posts